Odisha Link
Bridging the Missing Links in Odisha

ସାରଥି ବାବାଙ୍କ କରୋନା ଉପଚାର, କହିଲେ ଏହି ମନ୍ତ୍ର ପଢ଼ିଲେ ପାଖ ମାଡ଼ିବନି ଭାଇରସ୍!

ଭୁବନେଶ୍ବର: କରୋନା ଭାଇରସ୍‌ ଚୀନ ସମେତ ଆଉ କିଛି ରାଷ୍ଟ୍ରରେ ମୃତ୍ୟୁର ତାଣ୍ଡପ ରଚାଇଥିବା ବେଳେ ସାରା ବିଶ୍ବରେ ଏକପ୍ରକାର ସଂତ୍ରାସ ସୃଷ୍ଟି କରିଛି। ଏଥିରୁ ମୁକଳିବାର ଆଣ୍ଟି-ଭାଇରସ୍‌ ଅଥବା ପ୍ରତିଷେଧକ ବ୍ୟବସ୍ଥା ଏଯାବତ୍‌ ବଜାରରେ ଉପଲବ୍ଧ ହୋଇନାହିଁ। ଏଭଳି ସମୟରେ ନାନାଦି ଗୁଜବ ଲୋକଙ୍କୁ ବିଭ୍ରାନ୍ତି କରୁଛି। ଆପରାଧିକ ମାମଲାରେ ଜେଲରେ ଦୀର୍ଘ ବର୍ଷ କଟାଇ ଏବେ ମୁକୁଳିଥିବା ବିବାଦୀୟ ଆତ୍ମଘୋଷିତ ବାବା ସାରଥି କରୋନାର ପ୍ରତିଷେଧକ ବ୍ୟବସ୍ଥା ଜଣାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

୭ଟି ତୁଳସୀ ପତ୍ର ଖାଇଲେ କରୋନା ଦୂରେଇ ଯିବା ନେଇ ପ୍ରଭୁ ଜଗନ୍ନାଥ ସ୍ବାପ୍ନାଦେଶ ଦେଇଛନ୍ତି ବୋଲି କିଛିଦିନ ତଳେ ଗୁଜବ ପ୍ରସାରିତ ହୋଇଥିଲା। ଆଲକୋହଲ ପିଇଲେ କରୋନା ହେବନାହିଁ ବୋଲି ମଧ୍ର କେହି କେହି ସୋସିଆଲ ମିଡିଆରେ ଲେଖିଥିଲେ। ଗାଇ ଗୋବର ଓ ଗୋମୂତ୍ର କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିପାରିବ ବୋଲି ଆସାମର ଜଣେ ବିଜେପି ସାଂସଦ କହିଥିଲେ। ହିନ୍ଦୁ ମହାସଭା ମୁଖ୍ୟ ଚକ୍ରପାଣି ମହାରାଜ କରୋନା ଭାଇରସର ପ୍ରତିଷେଧକ ଭାବେ ଗୋମୁତ୍ର ଚାହା ଦେବାଲାଗି ପରାମର୍ଶ ଦେଇଛନ୍ତି। ଆୟୁର୍ବେଦ ଔଷଧ ମାଧ୍ୟମରେ କରୋନାର ଉତ୍ପାଡ଼ନ ସମ୍ଭବ ବୋଲି ସ୍ବାମୀ ରାମଦେବ କହିଛନ୍ତି। ଏଭଳି ସମୟରେ ବାବା ସାରଥିଙ୍କ ମନ୍ତ୍ର ଚିକିତ୍ସା ପୁଣି ଚର୍ଚ୍ଚାକୁ ଆସିଛି।

ପ୍ରତ୍ୟକ୍ଷ ଭାବେ ସାରଥିଙ୍କର ଏ ନେଇ କୌଣସି ମନ୍ତବ୍ୟ ଆସି ନଥିଲେ ହେଁ ତାଙ୍କର ଅନୁଗାମୀମାନେ ସୋସିଆଲ ମିଡିଆରେ ସାରଥୀଙ୍କ କରୋନା ଉପଚାରର ପ୍ରଚାର କରୁଛନ୍ତି। ଏଥିରେ ଏକ ମନ୍ତ୍ର ଦିଆଯାଇଛି ଯାହାକୁ ପାଠ କଲେ କରୋନା ଭାଇରସ୍‌ ଦେହକୁ ପ୍ରବେଶ କରିବନାହିଁ ବୋଲି ସାରଥିଙ୍କ ଭକ୍ତଗଣ ପ୍ରଚାର କରୁଛନ୍ତି। ଏହା ସାରଥିଙ୍କ ଚ୍ୟାଲେଞ୍ଜ୍‌ ବୋଲି ଏଥିରେ ଉଲ୍ଲେଖ ରହିଛି।

ତେବେ କରୋନାକୁ ବିତାଡ଼ିତ କରୁଥିବା ସାରଥୀଙ୍କ ସେ ହାସ୍ୟାସ୍ପଦ ମନ୍ତ୍ର ବାବଦରେ ଉଲ୍ଲେଖ ରହିଛି- ପ୍ରଭୁ ସାରଥି କହିଲେ, କୌଣସି ଆସନ ଉପରେ ଠିଆହୋଇ ଉତ୍ତର ଦିଗକୁ ମୁହଁ କରି ୩ ଥର ଓମ୍‌କାର୍‌ ୩ ଥର ଓଁ ଶ୍ରୀ ଗୁରବେ ନମଃ ଏବଂ ୨୭ ଥର ଓଁ ଶ୍ରୀମଦ୍‌ ଶ୍ରୀ ଶ୍ରୀ ସାରଥି ଦେବାୟ ନମଃ ଉଚ୍ଚାରଣ କରି ତୁମ ହସ୍ତକୁ ନିଜ ମସ୍ତକ ଉପରେ ତିନି ଥର ଆଉଁସି ଦିଅ। କରୋନା ଭାଇରସ୍‌ ତୁମ ଦେହରେ ପ୍ରବେଶ କରିପାରିବ ନାହିଁ, ଏହା ପ୍ରଭୁ ସାରଥିଙ୍କ ଚ୍ୟାଲେଞ୍ଜ୍।

Comments are closed.