Odisha Link
Bridging the Missing Links in Odisha

କେନ୍ଦ୍ରର କଡ଼ା ନିର୍ଦ୍ଦେଶ: ରାଜ୍ୟ ଓ ଜିଲ୍ଲାର ସମସ୍ତ ସୀମା ସିଲ୍‌ ହେବ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି। ହେଲେ ଏହି ଲକଡାଉନ ନିୟମକୁ ଫୁ କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ। ଲକଡାଉନ ଘୋଷଣା ପରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଭିଟା ମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଏହି ସବୁକୁ ନଜରରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡ଼ା ନିଷ୍ପତ୍ତି ଗ୍ରହଣ କରିଛି।

ଦେଶରେ ସମସ୍ତ ରାଜ୍ୟର ସୀମା ସିଲ୍ ହେବ। ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକମାନେ ଯିବା ଆସିବା କରିପାରିବେ ନାହିଁ। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ଥିବା ସମସ୍ତ ଜିଲ୍ଲାର ସୀମାକୁ ମଧ୍ୟ ସିଲ୍ କରାଯିବ। ଏନେଇ ରବିବାର କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ତାଲାବନ୍ଦ ସମୟରେ ପ୍ରତି ରାଜ୍ୟର ସୀମା ସିଲ କଲେ ବାହାର ରାଜ୍ୟରୁ କୌଣସି ଲୋକ ପ୍ରବେଶ କରିପାରିବେନି। ସେହିପରି ସବୁ ଜିଲ୍ଲାମାନଙ୍କର ସୀମା ସିଲ ଫଳରେ ବାହାର ଜିଲ୍ଲାର ଲୋକେ ଅନ୍ୟ ଜିଲ୍ଲାକୁ ପ୍ରବେଶ କରି ପାରିବେନି। ଫଳରେ ସଂକ୍ରମଣର ଆଶଙ୍କା କମିଯିବ। ତାଲାବନ୍ଦ ଦେଶ ପାଇଁ ବହୁତ ଜରୁରୀ। ତେଣୁ ତାଲାବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ହେଲେ ସୀମା ସିଲ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସମିଟରେ କୁହାଯାଇଛି।

ତେବେ ସୀମା ସିଲ ନେଇ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି କେମିତି ଏହାର ପରିଚାଳନା କରିବେ ସେ ଦାୟିତ୍ୱ ସେମାନେ ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି। ଏହା ସହ, ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଗାଁ ଅଭିମୁଖେ ବାହାରି ସାରିଛନ୍ତି, ସେମାନେ ପହଁଞ୍ଚିବା ପରେ ସେମାନଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରବାସୀ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ଏପରିକି ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି କରିବାକୁ କେହି କହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିପିକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.