Odisha Link
Bridging the Missing Links in Odisha

କରୋନା ନାୟକ: ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚାଇଲେ ଓଟ କ୍ଷୀର

ଭୁବନେଶ୍ବର: କରୋନାର କରାଳ ଛାୟା ସାରା ବିଶ୍ବକୁ କବଳିତ କରି ରଖିଥିବା ବେଳେ ଭାରତରେ ଲକ୍‌ଡାଉନ୍‌ କାରଣରୁ ଜନଜୀବନ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଭଳି ଏକ ସମୟରେ ବ୍ୟକ୍ତିଗତ ଆଗ୍ରହ ଯୋଗୁଁ ଜଣେ ମୁମ୍ବାଇର ଜଣେ ଅଟିଷ୍ଟିକ୍‌ ଶିଶୁ ପାଇଁ ସୁଦୂର ରାଜସ୍ଥାନରୁ ଓଟ କ୍ଷୀର ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା।

ବର୍ତ୍ତମାନ ସେସୁର ସିଇଓ ଥିବା ବୋଥ୍ରାଙ୍କର ଘର ରାଜସ୍ଥାନରେ। ଟ୍ବିଟରରେ ବେଶ୍‌ ସକ୍ରିୟ ବୋଥ୍ରା ଗତ ସପ୍ତାହରେ ଏକ ଟୁଇଟ୍‌ ଦେଖିବାକୁ ପାଇଥିଲେ। ମୁମ୍ବାଇର ଜଣେ ମହିଳା ନିଜର ଅଟିଷ୍ଟିକ୍‌ ଶିଶୁ ପାଇଁ ଜରୁରୀ ଓଟ କ୍ଷୀର ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକୁଳ ନିବେଦନ କରିଥିଲେ। ଶିଶୁଟି କେବଳ ଓଟ କ୍ଷୀର ଓ କିଛି ଡାଲି ବ୍ୟତୀତ ଅନ୍ୟ କିଛି ଖାଇଲେ ଆଲର୍ଜି ହୋଇଥଶଏ। ଘରେ ଆଉ ମାତ୍ର ୩-୪ ଦିନର ଓଟ କ୍ଷୀର ରହିଛି। ଏଣୁ ରାଜସ୍ଥାନରୁ ଓଟ କ୍ଷୀର ଅଥବା ଏହାର ଗଚଣ୍ଠ ଦୁଗ୍ଧ ଆଣିବା ପାଇଁ ମହିଳା ଜଣକ ନିବେଦନ କରିଥିଲେ। ରାଜସ୍ଥାନର ଶାଦ୍ରିରେ କ୍ଷୀର ମିଳୁଛି ବୋଲି ମଧ୍ୟ ମହିଳା ଜଣକ ଜଣାଇଥିଲେ।

ଏହି ଟୁଇଟ୍‌ ଦେଖିବା ପରେ ନିଜ ଆଡ଼ୁ ଏ ନେଇ ଉଦ୍ୟମ ଆରମ୍ଭ କରିଥିଲେ। ଉତ୍ତର-ପଶ୍ଚିମ ରେଳରେ ମୁଖ୍ୟ ପାସେଞ୍ଜର ଟ୍ରାଫିକ୍‌ ମ୍ୟାନେଜର ତରୁଣ ଜୈନଙ୍କୁ ସେ ଜାଣିଥିଲେ। ତୁରନ୍ତ ଏ ନେଇ ଜୈନଙ୍କୁ ଯୋଗାଯୋଗ କରିଥିଲେ ବୋଥ୍ରା। ଜୈନ କହିଥିଲେ ଯେ ଲୁଧିଆନାରୁ ଏକ ପାର୍ସଲ ଟ୍ରେନ୍‌ ମୁମ୍ବାଇ ଅଭିମୁଖେ ଛାଡ଼ିବ। ଟ୍ରେନ୍‌ଟି ପାଲି, ମରଓ୍ବାଡ ଓ ଯୋଧପୁର ହୋଇ ଯିବ।

ବୋଥ୍ରାଙ୍କ ଅନୁରୋଧ ରକ୍ଷା କରି ଜୈନ କାମକୁ ଆଗେଇନେଲେ। ମହିଳା ଜଣକ ଯେଉଁ ଶାଦ୍ରି କଥା କହିଥିଲେ ସେହି ପାଖାପାଖି କେଉଁ ଷ୍ଟେସନ୍‌ ଦେଇ ଏହି ପାର୍ସଲ ଟ୍ରେନ୍‌ଟି ଯାଉଛି ଜାଣିବା ପାଇଁ ଆଜମେର୍‌ର ରେଲଓ୍ବେ କମର୍ସିଆଲ ଡିପାର୍ଟମେଣ୍ଟକୁ ପଚାରିଲେ ଜୈନ। ଫଲନା ଷ୍ଟେସନ୍‌ ଶାଦ୍ରି ପାଖାପାଖି ଥିବା ଜଣାପଡ଼ିଲା। ତେବେ ପାର୍ସଲ ଟ୍ରେନ୍‌ଟି ଫଲ୍‌ନାରେ ରହିବାର ବ୍ୟବସ୍ଥା ନଥିଲେ ବି ସ୍ବତନ୍ତ୍ର ଅନୁରୋଧରେ ରେଳ ବିଭାଗ ଏହି ପାର୍ସଲ ଟ୍ରେନ୍‌ଟିକୁ ଫଲ୍‌ନାରେ ଅଟକାଇଥିଲେ। ଶାଦ୍ରିର ବିତରକ ଜଣକ ୨୦ ଲିଟର ତାଜା ଦୁଗ୍ଧ ସହ ୨୦ କେଜି ଦୁଗ୍ଧଗୁଣ୍ଡ ଏହି ଟ୍ରେନ୍‌ ଯୋଗେ ପଠାଇଥିଲେ।

ମହିଳା ଜଣକ ଏପ୍ରିଲ ୪ ତାରିଖରେ ଅନୁରୋଧ ରଖିଥିବା ବେଳେ ଏପ୍ରିଲ ୧୧ରେ ୪୦ ଲିଟର କ୍ଷୀର ତାଙ୍କ ପାଖରେ ପହଞ୍ଚିଯାଇଛି ବୋଲି ବୋଥ୍ରା ଟୁଇଟ୍‌ କରିଛନ୍ତି। ପୂର୍ବରୁ ଜନତାଙ୍କ ଅନୁରୋଧ ଶୁଣି ସହଯୋଗର ହାତବଢ଼ାିବାରେ ବହୁ ଉଦାହରଣ ସୃଷ୍ଟି କରିଥିବା ବୋଥ୍ରାଙ୍କର ଏହି ମହତ କାର୍ଯ୍ୟ ପୁଣି ତାଙ୍କ ପାଇଁ ପ୍ରଶଂସା ବର୍ଷା କରିଛି।

Comments are closed.