କରୋନା: ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ ସଚେତନ କରୁଛି କମିଶନରେଟ୍ ପୁଲିସ

ଭୁବନେଶ୍ବର: କଟକ-ଭୁବନେଶ୍ବର କମିଶନରରେଟ୍ ପୁଲିସ ଏଠାରେ ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍-୧୯ ବାବଦରେ ସଚେତନ କରୁଥିବାର ଦେଖିବାକୁ ମିଳିଛି। ଆଜି ସକାଳେ ଭୁବନେଶ୍ବରର ଫରେଷ୍ଟ ପାର୍କ ଅଞ୍ଚଳରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ଘର ଘର ବୁଲି ବୟୋଜ୍ୟଷ୍ଠ ବ୍ୟକ୍ତିମାନଙ୍କୁ ଭେଟିବା ସହ ଏକ ସୂଚନା ପୁସ୍ତିକା ବାଣ୍ଟୁଥିବାର ଦେଖିବାକୁ ମିଳିଛି।
ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମୁଦ୍ରିତ ଏହି ସୂଚନା ପୁସ୍ତିକାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାର୍ଗଦର୍ଶିକା ଥିବା ବେଳେ କରୋନା ଠାରୁ କିଭଳି ଦୂରେଇ ରହିବେ ଓ ଜରୁରୀ ପରିସ୍ଥିତିରେ କି ପଦକ୍ଷେପ ନେବେ ତାହା ବର୍ଣ୍ଣନା କରାଯାଇଛି। କମିଶନରେଟ୍ ପୁଲିସ ଇଲାକା ମଧ୍ୟରେ ଥିବା ଥାନାମାନଙ୍କର ସବିଶେଷ ତଥ୍ୟ ସହ ଫୋନ ନମ୍ବର, ଏପରିକି ପୁଲିସ ଅଧିକାରୀମାନଙ୍କ ଫଟୋ ମଧ୍ୟ ଏହି ପୁସ୍ତକରେ ଛପାଯାଇଛି। ଲକ୍ଡାଉନ୍ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବରିଷ୍ଠ ନାଗରିକମାନେ ଏହି ପୁସ୍ତକର ସୂଚନା ବ୍ୟବହାର କରିପାରିବେ।
ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବରିଷ୍ଠ ନାଗରିକାମାନେ ଏକା ରହୁଛନ୍ତି ଅଥବା ବରିଷ୍ଠ ଦମ୍ପତି ରହୁଛନ୍ତି। ଲକ୍ଡାଉନ୍ କାରଣରୁ ସେମାନେ ନିଜର ପିଲା ବା ସଂପର୍କୀୟଙ୍କ ପାଖକୁ ଯିବା ସମ୍ଭବପର ହୋଇନାହିଁ। ପୁଲିସର ଏହି ସଚେତନତା ପୁସ୍ତିକା ସେମାନଙ୍କ କାର୍ଯ୍ୟରେ ଆସିବ ବୋଲି ଆଶା କରାଯାଉଛି।