Odisha Link
Bridging the Missing Links in Odisha

ଦିଲ୍ଲୀରେ ପ୍ଲାଜ୍‌ମା ପରୀକ୍ଷା ସଫଳ: ବିନା ଔଷଧରେ ସୁସ୍ଥ ହେବେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜ୍‌ମା ପରୀକ୍ଷା ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସୁସ୍ଥ ହୋଇ ଉଠିଥିବା କରୋନା ରୋଗୀଙ୍କ ରକ୍ତର ପ୍ଲାଜ୍‌ମା ବ୍ୟବହାର କରି ଏଣିକି କରୋନା ଆକ୍ରାନ୍ତ, ବିଶେଷ କରି ଗୁରୁତର ରୋଗୀମାନଙ୍କୁ, ସୁସ୍ଥ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏ ନେଇ ଦିଲ୍ଲୀର ଡାକ୍ତରମାନେ ସଫଳତା ପାଇଛନ୍ତି।

ସୁସ୍ଥ ହେଉଥିବା ରୋଗୀମାନଙ୍କ ଉଦ୍ଦେଶ୍ୟରେ ଆହ୍ବାନ କରି କେଜ୍ରିଓ୍ବାଲ କହିଛନ୍ତି ସେମାନେ ଆଗେଇ ଆସି ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ନିଜର ରକ୍ତ ପ୍ଲାଜ୍‌ମା ଦାନ କରନ୍ତୁ। ପରୀକ୍ଷାମୂଳକ ଭାବେ ଦିଲ୍ଲୀର ୪ ଜଣ କରୋନା ରୋଗୀଙ୍କ ଉପରେ ପ୍ଲାଜ୍‌ମା ଥେରାପି ପ୍ରୟୋଗ କରାଯାଇଥିଲା। ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ବୋଲି କେଜ୍ରିଓ୍ବାଲ କହିଛନ୍ତି।

ଗତ ସପ୍ତାହରେ ମୁମ୍ବାଇର କସ୍ତୁରବା ହସ୍ପିଟାଲ ମଧ୍ୟ ସମାନ ଦାବି କରିଥିଲା। ଏହାକୁ ଆଧାର କରି ସୁସ୍ଥ ହେଉଥିବା ରୋଗୀମାନଙ୍କୁ ରକ୍ତଦାନ ପାଇଁ ଆହ୍ବାନ ଦେଇଥିଲେ ବଲିଉଡ୍‌ ଅଭିନେତା ହ୍ରିତ୍ବିକ୍‌ ରୋଶନ୍।

Comments are closed.