Odisha Link
Bridging the Missing Links in Odisha

୩ ସପ୍ତାହ ଯାଏଁ ଗିରଫ ହେବେନାହିଁ ଅର୍ଣବ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ। ତେବେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ୩ ମାସର ଆଶ୍ବାସନା ଦେଇଛନ୍ତି। ଆଗାମୀ ୩ ସପ୍ତାହ ଯାଏଁ ଏହି ସବୁ ମାମଲାରେ ଅର୍ଣବଙ୍କୁ ଗିରଫ କରାଯାଇପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଜଣାଇଛନ୍ତି।

ତେବେ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍‌ ସବୁକୁ ବାତିଲ କରିବା ପାଇଁ ଅର୍ଣବ ଆବେଦନ କରିଥିଲେ ବି ତାହା ସୁପ୍ରିମ କୋର୍ଟରେ ଖାରଜ ହୋଇଛି। କେବଳ ନାଗପୁରରେ ହୋଇଥିବା ଗୋଟିଏ ମାମଲାକୁ ଛାଡ଼ି ଅର୍ଣବଙ୍କ ବିରୋଧରେ ସମସ୍ତ ମାମଲା କାଏମ ରହିଛି ଏବଂ ଏସବୁର ତଦନ୍ତ କରାଯିବ ବୋଲି କୋର୍ଟ କହିଛନ୍ତି। ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ଏମ୍‌ଆର୍‌ ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଅର୍ଣବଙ୍କ ଆବେଦନର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ ଗତକାଲି ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ମୁମ୍ବାଇ ଠାରେ ଗୋଟିଏ ମାମଲା ଭାବେ ବିଚାରକୁ ନେଇ ତଦନ୍ତ କରାଯିବ। ଭବିଷ୍ୟତରେ ସମାନ ଘଟଣା ପାଇଁ ଯେଉଁଠି ଯାହା ବି ମାମଲା ହେବ ତାହା ମୁମ୍ବାଇ ମାମଲା ସହ ଯୋଡ଼ାଯିବ। ଗିରଫରୁ ବର୍ତ୍ତିବା ପାଇଁ ଅର୍ଣବ ଇଚ୍ଛା କଲେ ଏଇ ୩ ସପ୍ତାହ ମଧ୍ୟରେ ଆଗୁଆ ଜାମିନ ଆବେଦନ କରିପାରିବେ।

ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘର ଠାରେ ଦୁଇ ଜଣ ହିନ୍ଦୁ ସାଧୁ ଓ ତାଙ୍କ ଡ୍ରାଇଭରଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ସ୍ଥାନୀୟ ଜନତା। ଏ ମାମଲା ତଦନ୍ତାଧୀନ ଥିବା ବେଳେ ଏହାକୁ ନେଇ ୨୨ ଏପ୍ରିଲରେ ନିଜ ଟିଭି ଚ୍ୟାନେଲରେ ଏକ ବିତର୍କ ଆୟୋଜନ କରିଥିଲେ ଅର୍ଣବ। ଏଥିରେ ସେ ସାଂପ୍ରଦାୟିକ ହିଂସାକୁ ଉସୁକାଇବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ବେୋଲି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ମାମଲାସବୁରେ ଅଭିଯୋଗ ହୋଇଛି।

୨୩ ତାରିଖ ରାତିରେ ମୁମ୍ବାଇରେ ଅର୍ଣବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହା ଯୁବକଂଗ୍ରେସ କର୍ମୀଙ୍କ କାମ ବୋଲି ଅର୍ଣବ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଅର୍ଣବ ଓ ତାଙ୍କ ଟିଭି ଷ୍ଟୁଡିଓକୁ ସୁରକ୍ଷା ଦେବା ଲାଗି ସୁପ୍ରିମ କୋର୍ଟ ମୁ୍ମ୍ବାଇ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.