Odisha Link
Bridging the Missing Links in Odisha

ଆଜି ଆଦିଗୁରୁ ଶଙ୍କରଙ୍କ ପବିତ୍ର ଜୟନ୍ତୀ

ଶୁଭେନ୍ଦୁ ଦାସ

ଅଷ୍ଟବର୍ଷେ ଚତୁର୍ବେଦୀ ଦ୍ବାଦଶେ ସର୍ବଶାସ୍ତ୍ରବିତ୍
ଷୋଡ଼ଶେ କୃତବାନ୍‌ ଭାଷ୍ୟମ୍‌ ଦ୍ବାତ୍ରିଂଶେ ମୁନିରଭ୍ୟଗତ୍‌ ।।

ଆଜିର ଦିନରେ ଜନ୍ମ ହୋଇଥିଲେ ଆଦି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରାର ପ୍ରଥମ ଉନ୍ମେଷ ଆଦି ଶଙ୍କର। ଏକାଧାରରେ ଜଗତର ଅନ୍ୟତମ ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୁଖ୍ୟ ପ୍ରବକ୍ତା ଭାବରେ ସେ ବିଶ୍ବବିଦିତ। ସେ ଆଦି ଶଙ୍କର ଓ ଶଙ୍କର ଭଗବତ୍ ପାଦ ନାମରେ ମଧ୍ୟ ପରିଚିତ। ଅଦ୍ୱୈତ ବେଦାନ୍ତର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ୱର ଦାର୍ଶନିକ ମଣ୍ଡଳୀରେ ସ୍ୱୀକୃତ ଓ ସମାଦୃତ। ସେ ଦଶନାମୀ ସନ୍ନ୍ୟାସୀ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ। ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଅବଦାନ ଅତୂଳନୀୟ।

ସଂସ୍କୃତ ଭାଷାରେ ତାଙ୍କ ରଚନା ସମୂହଦ୍ୱାରା ସେ ଆତ୍ମା ଓ ନିର୍ଗୁଣ ବ୍ରହ୍ମଙ୍କ ଏକତ୍ତ୍ୱ ପ୍ରତିପାଦନ କରିଥିଲେ। ତାଙ୍କ ମତ ସପକ୍ଷରେ ସେ ବେଦାନ୍ତର ପ୍ରସ୍ଥାନ ତ୍ରୟୀ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବଦ୍ ଗୀତା ଉପରେ ବିସ୍ତୃତ ଭାଷ୍ୟ ରଚନା କରିଥିଲେ। ତାଙ୍କ ରଚନାରେ ଉପନିଷଦମାନଙ୍କର ବାଖ୍ୟା କରାଯାଇଛି। ସେ ହିନ୍ଦୁଧର୍ମର ଅନ୍ୟତମ ଦର୍ଶନ ମତ ମିମାଂସା ବା ପୂର୍ବ ମିମାଂସା, ଯାହା ବୈଦିକ କର୍ମକାଣ୍ଡର ପ୍ରୋତ୍ସାହନ କରିଥାଏ, ତାହାର ସମାଲୋଚନା କରିଥିଲେ। ସେ ମଧ୍ୟ ବୈଦିକ ହିନ୍ଦୁଧର୍ମ ଓ ବୌଦ୍ଧ ମତ ମଧ୍ୟରେ ଥିବା ପ୍ରଧାନ ବିଭେଦ ଦର୍ଶାଇ ଥିଲେ।

ଆଦି ଶଙ୍କର ଭାରତ ସାରା ଭ୍ରମଣ କରି ବିଭିନ୍ନ ଦାର୍ଶନିକ ମାନଙ୍କଦ୍ୱାରା ତର୍କ ଓ ବକ୍ତୃତାଦ୍ୱାରା ଅଦ୍ୱୈତ ବେଦାନ୍ତର ପ୍ରଚାର କରିଥିଲେ। ସେ ମିମାଂସା ମତ ଖଣ୍ଡନ କରି ସନ୍ନ୍ୟାସର ଗୁରୁତ୍ବ ପ୍ରତିପାଦନ କରିଥିଲେ। ସେ ଭାରତର ଚାରି ପ୍ରମୁଖ ପୀଠରେ ଚାରୋଟି ମଠ ସ୍ଥାପନ କରିଥିଲେ। ଏହି ମଠ ସବୁ ଅଦ୍ୱୈତ ମତବାଦ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଦଶନାମୀ ସନ୍ନ୍ୟାସୀ ସମ୍ପ୍ରଦାୟର ପୁନର୍ସ୍ଥାପନା କରିଥିଲେ।

ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର କାଲାଡି ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨ ଖ୍ରୀଷ୍ଟାବ୍ଦରେ ମାତ୍ର ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ। ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା। ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ। ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ। ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। କିଛିଦିନ ପରେ ମାତାଙ୍କର ପରଲୋକ ପ୍ରାପ୍ତି ଘଟିବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ। ତାଙ୍କ ବୟସ ଯେତେବେଳେ ୧୬ ବର୍ଷ ହେଲା; ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ। ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ। ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି। ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠ ପ୍ରତିଷ୍ଠିତ। ଉତ୍ତରରେ ବଦରକା ଯୋଚୀ(ଶୀ) ମଠ ବା ଜ୍ୟୋତିଃ ମଠରେ ପୀଠଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୱ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍ସୃଷ୍ଟ ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୱ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠ ଉତ୍ସୃଷ୍ଟ ଦକ୍ଷିଣରେ ମାନ୍ଦ୍ରାଜ ପ୍ରଦେଶସ୍ଥିତ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ୱ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍ସୃଷ୍ଟି।

ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟଣାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ। ତାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିଂବଦନ୍ତୀ ପ୍ରଚଳିତ ଅଛି ଯେ ସେ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟା ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ। ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ରଜକ ଘରେ ପହଞ୍ଚି ସେଠାରେ ରଜକର ରୋଷଶାଳାରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହ୍ବା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ। ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ରଜକ ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା। ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ। ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ। ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ ‘ଦଶନାମୀ’ (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ନ୍ୟାସୀ ହେଲେ।

ଆଦି ଶଙ୍କରଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ ‘ଶଙ୍କରଃ ଶଙ୍କରଃ ସାକ୍ଷାତ୍’ ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମ ପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା ସେ ୩୨ ବର୍ଷ ବୟସରେ କେଦାରନାଥ ତୀର୍ଥରେ ପରଲୋକ ଗମନ କଲେ।

ମହାତ୍ମାମାନଙ୍କର ମୂହୂର୍ତ୍ତ ସୁଦ୍ଧା ମୂଲ୍ୟବାନ। କର୍ତ୍ତବ ଶେଷ ହେଲେ ସେମାନଙ୍କର ଅନ୍ତର୍ଧ୍ୟାନ ପ୍ରାକୃତିକ। ପୁଣି ଇତର ସାଧାରଣଙ୍କ ପକ୍ଷରେ ଯାହା ଅସମ୍ଭବ ବା ଅସାଧ୍ୟ, ସେମାନଙ୍କ ପକ୍ଷରେ ତାହା ଅବିଞ୍ଚତ୍କର ଓ ଅଳ୍ପସମୟ ସାଧ୍ୟ। ନିରୁପିତ କାଳ ପାଖେଇ ଆସିବାରୁ ସହସ୍ର ଶିଷ୍ୟଙ୍କ ମଧ୍ୟରେ ପ୍ରିୟତମ ସନନ୍ଦନଙ୍କୁ ପଦ୍ମପାଦାଚାର୍ଯ୍ୟ ନାମରେ ଶ୍ରୀଜଗନ୍ନାଥ କ୍ଷେତ୍ର ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠରେ, ସରସ୍ୱତୀପତି ମଣ୍ଡନମିଶ୍ରଙ୍କୁ ସୁରେଶ୍ୱଚାର୍ଯ୍ୟ ନାମରେ ଋଷ୍ୟଶୃଙ୍ଗାଶ୍ରମ ପ୍ରତିଷ୍ଠିତ ଶୃଙ୍ଗେରୀ ପୀଠରେ, ଶ୍ରୀବେଲୀ ନିବାସୀ ପ୍ରଭାକର ମୂକପୁତ୍ରଙ୍କୁ ବାଦଦୁକତା ପଦାନ କରି ହସ୍ତାମଳକାଚାର୍ଯ୍ୟ ନାମରେ ଦ୍ୱାରକାପ୍ରତିଷ୍ଠିତ ଶାରଦା ପୀଠରେ ଏବଂ ଅନ୍ୟତମ ମହାମୂର୍ଖ ଶିଷ୍ୟ ଗିରିଙ୍କୁ ଦିବ୍ୟଜ୍ଞାନ ଦାନ କରି ତ୍ରୋଟକାର୍ଯ୍ୟ ନାମରେ ବଦ୍ରିକାକ୍ଷେତ୍ର ପ୍ରତିଷ୍ଠିତ ଜ୍ୟୋତିଃ ପୀଠରେ ଅଧ୍ୟକ୍ଷତା ପ୍ରଦାନ କରି ସ୍ୱୟଂ କୈଳାସ ଯାତ୍ରାକରି ସେଠାରେ ସ୍ୱଦେହରେ ଶଙ୍କର ମୂର୍ତ୍ତିରେ ଲୀନ ହେଲେ।

ଏହି ଆଲେଖର ଲେଖକ ଶୁଭେନ୍ଦୁ ଦାସ ଆଦିତ୍ୟ ବାହିନୀର ଭୁବନେଶ୍ବର କ୍ଷେତ୍ରୀୟ ସଂପାଦକ ଅଛନ୍ତି

Comments are closed.