Odisha Link
Bridging the Missing Links in Odisha

ରାସନ୍‌ କାର୍ଡ ନଥିଲେ ବି ମିଳିବ ରାସନ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ ଖାଦ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାରୁ ଯେପରି ବଞ୍ଚିତ ନରୁହନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡ଼ା ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମନରେଗାରେ ଜରିଆରେ ୫ ଲକ୍ଷ ମାନବ ଦିବସକୁ ଦୁଇ ଗୁଣିତ କରି ଦୈନିକ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ରାସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଫେରୁଥିବା ଶ୍ରମିକ ମାନଙ୍କର ରାସନ କାର୍ଡ ଥାଉ ବା ନଥାଉ ସେମାନଙ୍କୁ ପରିବାରକୁ ଖାଦ୍ୟ ସାମଗ୍ରୀ ମିଳିବା ସୁନିଶ୍ଚିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ରାସନ ପାଇବାରେ ଯେପରି ଶ୍ରମିକ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ ହେଉଛି କୋଭିଡ-୧୯ ନିୟନ୍ତ୍ରଣ। ଏହା ଅତିରିକ୍ତ ଦାୟିତ୍ୱ ନୁହେଁ, ଏହା ମୁଖ୍ୟ ଦାୟିତ୍ବ ଭାବି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୮/୧୦ ଦିନର ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ନମୁନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁପତ୍ର ଶ୍ରମିକଙ୍କ ଜୀବନ ଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

Comments are closed.