Odisha Link
Bridging the Missing Links in Odisha

ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା

ନୂଆଦିଲ୍ଲୀ: ମେ ୩ରେ ସରିବ ଲକ୍‌ଡାଉନ୍‌ ଅବଧି। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି। ନୂତନ ବର୍ଗିକରଣ ଅନୁସାରେ, ୨୮ ଦିନ ପରିବର୍ତ୍ତେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ନ ଥିବା ଜିଲ୍ଲାଗୁଡ଼ିକୁ ଗ୍ରିନ୍ ଜୋନ୍ ଭାବେ ବିଚାର କରାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍‌ ଭାବ‌େ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ସେମଧ୍ୟରୁ ଓଡ଼ିଶାର ୩ଟି ଜିଲ୍ଲା ରେଡ ଜୋନରେ ଥିବା ବେଳେ ୬ଟି ଜିଲ୍ଲା ଅରେଞ୍ଜ ଜୋନରା ଅଛନ୍ତି। ଅପରପକ୍ଷେ ୨୧ଟି ଜିଲ୍ଲା ଗ୍ରୀନ୍‌ ଜୋନରେ ଅଛି।

ରେଡ ଜୋନରେ ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ରହିଛି। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲା ରହିଛି। ସେହିପରି ରାଜ୍ୟର ୨୧ଟି ଜିଲ୍ଲା ଗ୍ରିନ୍‌ ଜୋନରେ ଅଛି।

ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରିଛନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ସହରଗୁଡ଼ିକ ମଧ୍ୟ ରେଡ୍ ଜୋନ୍‌ରେ ରହିଛି।

Comments are closed.