Odisha Link
Bridging the Missing Links in Odisha

ଅଭିନେତା ବିଜୟ ମହାନ୍ତି ସୁସ୍ଥ, ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବେ

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ରାୟ ସୂଚନା ଦେଇଛନ୍ତି। ବିଜୟ ନିକଟ ଭବିଷ୍ୟତରେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା।

ବିଜୟ ମହାନ୍ତି ଓଡ଼ିଶା ସିନେମା ଶିଳ୍ପରେ ଜଣେ ଜଣାଶୁଣା ଓ ପରିଚିତ ନାଁ। ୨୦୦ରୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ନିଖୁଣ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ଚିଲିକା ତୀରେ, ଜଗା ହାତରେ ପଘା, କି ହେବ ଶୁଆ ପୋଷିଲେ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି।

୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟ ମହାନ୍ତିଙ୍କ ପିଲାଦିନ ବାରିପଦାରେ କଟିଛି। ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ସେ ଅଭିନୟ ଆରମ୍ଭ କରିଥିଲେ। ସ୍ନାତକ ପରେ ସେ ନ୍ୟାସନ୍ୟାଲ ସ୍କୁଲ ଅଫ୍‍ ଡ଼୍ରାମାରେ ନାମ ଲେଖାଇଥିଲେ। ସେଠାରେ ନସିରୁଦ୍ଦିନ୍‌ ଶାହ, ଓମ୍‌ ପୁରୀ ଓ ରାଜ ବବର୍‌ ତାଙ୍କର ସହପାଠୀ ଥିଲେ।

ପାଠପଢ଼ା ପରେ ପ୍ରଥମେ ସେ ଦିଲ୍ଲୀରେ ରହି ମଞ୍ଚ କଳାକାର ଭାବେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୭୫ ମସିହାରେ ଓଡ଼ିଶା ଫେରି ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ଓଡ଼ିଆ ସିନେମା ପାଇଁ ସମର୍ପିତ କଲେ। ୧୯୭୭ରେ ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ସିନେମା। ଏଥିରେ ତନ୍ଦ୍ରା ରାୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଓ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେଲେ।

୧୯୭୭ରେ ବିଜୟ ମହାନ୍ତି ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଅଭିନୟ ବ୍ୟତୀତ ସେ ‘ଭୁଲିହୁଏନା’ ନାମରେ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ପ୍ରବେଶ କରିଥିଲେ। କଂଗ୍ରେସ ଟିକେଟରେ ସେହିବର୍ଷ ସେ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପରେ ସେ ରାଜନୀତିରୁ ଦୂରେଇ ରହିଲେ।

୬ ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବିଜୟ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ୨୦୧୪ରେ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ ମହାନ୍ତି।

Comments are closed.