Odisha Link
Bridging the Missing Links in Odisha

ନୟାଗଡ଼: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ନୟାଗଡ଼: ଆଜି ଅପରାହ୍ନ ୫ଟା ୩୦ ସମୟରେ ପ୍ରତି ଓଡ଼ିଆଙ୍କ ମୁହଁରେ ଗୁଞ୍ଜରୀତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଂଗୀତ। କରୋନା ମହାମାରୀ ମୁକାବିଲାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମସ୍ତ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଛନ୍ତି।

କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ସଂଗୀତ ଗାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରୁଣା ବସଷ୍ଟାଣ୍ଡଠାରେ ସ୍ୱତନ୍ତ୍ର ଭାବେ ରାଜ୍ୟ ସଂଗୀତକୁ ଗାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ସାମାଜିକ ଦୂରତାକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥିଲା।

ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡି, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସହ ସମବେତ ଜନତା, ସରକାରୀ କର୍ମଚାରୀ ପ୍ରମୂଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

ସେହିଭଳି ନୟାଗଡ଼ ବ୍ଲକରେ ବିଡିଓ ମନୋଜ ପାତ୍ରଙ୍କ ତତ୍ୱାବଧାନରେ ରାଜ୍ୟ ସଂଗୀତ ଗାନ କରାଯାଇଥିବା ବେଳେ ଲେଖନପୁରଠାରେ ଅବସ୍ଥିତ ଜରାଶ୍ରମ ସମର୍ପଣ ପରିସରରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନ୍ତେବାସୀଙ୍କ ସହ ସଂଗୀତ ଗାନ କରାଯାଇଛି। ସେହିଭଳି ଜିଲ୍ଲାର ସମସ୍ତେ ପଞ୍ଚାୟତ, ଗାଁ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସଂଗୀତ ଗାନ କରାଯାଇଛି।

Comments are closed.