Odisha Link
Bridging the Missing Links in Odisha

ସ୍ନାନଯାତ୍ରା ନୀତିରେ ଅନୁପସ୍ଥିତ ରହିଲେ ଗଜପତି, କହିଲେ..

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ହେଉଛି ଦେବସ୍ନାନ ପୂର୍ଣ୍ଣମୀ। ଆଜି ଶ୍ରୀଜିଉଙ୍କ ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି ସ୍ନାନ ଯାତ୍ରା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶ ଧାରଣ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ହେଲେ ଆଜି ଛେରାପହଁରା ଲାଗି ଗଜପତି ମହାରାଜା ଆସିନଥିଲେ। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ଛେରାପହଁରା କରିଛନ୍ତି। ଗଜପତି ମହାରାଜାଙ୍କ ପ୍ରତିନିଧିଭାବେ ମୁଦିରଥ ଛେରାପହଁରା କରିଛନ୍ତି।

ସ୍ନାନଯାତ୍ରା ନୀତିରେ ଅନୁପସ୍ଥିତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି। ଛେରାପହଁରା କରିନପାରିବାର କାରଣ ସମ୍ପର୍କରେ ସେ କହିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ କୋଭିଡ ଗାଇଡଲାଇନ ମାନି ମୁଁ ଶ୍ରୀନଅରରେ ରହିଥିଲି। ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲି। ପ୍ରଥମ କାରଣ ହେଲା ଧର୍ମୀୟ କାର୍ଯ୍ୟ ଓ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ। ଏବଂ ଦ୍ୱିତୀୟ ହେଲା ୬୫ ବର୍ଷରୁ ଅଧିକ ବୟସ୍କ ଘରୁ ବାହାରିବାକୁ ବାରଣ କରାଯାଇଛି।

ଆଜିକୁ ମିଶାଇ ଦ୍ୱିତୀୟ ଥର ସ୍ନାନଯାତ୍ରା ସେବା ସେ ତୁଲାଇ ପାରିନଥିବା କହିଛନ୍ତି। ୧୯୭୬ରେ ପ୍ରଥମ ଥର ପାଇଁ ସ୍ନାନଯାତ୍ରା ସେବା କରିପାରିନଥିଲି। ଏଲଏଲଏମ ପାଇଁ ଆମେରିକା ଚିକାଗୋରେ ଥିବାରୁ ସେବା କରିପାରିନଥିଲି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ମୁଦିରଥ ସେବା କରିବା ପୁରୁଣା ପରମ୍ପରା ବୋଲି ସେ କହିଛନ୍ତି।

Comments are closed.