Odisha Link
Bridging the Missing Links in Odisha

ଏପଟେ ବିରୋଧ, ସେପଟେ ସ୍ବାଗତ: ଭାରତରେ ଅଧିକ ପୁଞ୍ଜିନିବେଶ କରିବ ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ଲଢ଼େଇ ଓ ପରସ୍ପର ପକ୍ଷରୁ ମୃତାହତ ପରେ ଦେଶବ୍ୟାପୀ ଚୀନ୍‌ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଚୀନ୍‌ ସୀମାରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ‘ଚୀନ୍‌ ସାମଗ୍ରୀ’ ବର୍ଜନ ନେଇ ସ୍ବର ତୀବ୍ର ହୋଇଛି। ଚୀନ୍‌ ତିଆରି ସାମଗ୍ରୀ ନ କିଣିବା ପାଇଁ ଓ ବ୍ୟବହାର ନ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦେଶବାସୀଙ୍କୁ ଅନୁରୋଧ କରାଯାଉଛି। ତେବେ ଏଭଳି ସମୟରେ ଭାରତରେ ୧ ବିଲିଅନ୍‌ ଡଲାର୍‌ (୭,୬୦୦ କୋଟି ଟଙ୍କା) ପୁଞ୍ଜିନିବେଶ କରିବାକୁ ଚୁକ୍ତି ସ୍ବାକ୍ଷର କରିଛି ଚୀନର ବୃହତ୍ତ କାର୍‌ ପ୍ରସ୍ତୁତକାରୀ କମ୍ପାନୀ ଗ୍ରେଟ୍‌ ଓ୍ବାଲ୍‌ ମୋଟର୍ସ (GWM)। ଅନୁରୂପ ଭାବେ ଭାରତ କ୍ରିକାଟ୍‌ ନିୟନ୍ତ୍ରଣ ବୋର୍ଡ (BCCI) ମଧ୍ୟ ଚୀନ୍‌ କମ୍ପାନୀ ବିବୋର ସହଭାଗିତା ଜାରି ରଖିବ ବୋଲି ଆଜି ସ୍ପଷ୍ଟ କରିଛି।

ମହାରାଷ୍ଟ୍ରରେ ଏକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ GWM ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଏହି କାରଖାନାରେ ୩,୦୦୦ ଭାରତୀୟଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏଥିରେ ବିଭିନ୍ନ ଦଫାରେ ମୋଟ ୭,୬୦୦ କୋଟି ଟଙ୍କା ପୁଞ୍ଜି ଖଟାଇବ ଏହି ଚୀନ୍‌ କମ୍ପାନୀ। ଆଡ୍‌ଭାନ୍‌ ରୋବୋଟିକ୍‌ସ ଟେକନଲୋଜିରେ (କମ୍‌ ଲୋକବଳ ବ୍ୟବହାରରେ) ପୁନେ ନିକଟସ୍ଥ ଟାଲେଗାଓଁ ଠାରେ GWM କାରଖାନା ସ୍ଥାପିତ ହେବ।

ଅନ୍ୟପଟେ BCCIର ମୁଖ୍ୟ ପ୍ରାୟୋଜକ ରହିଆସିଛି ଚୀନ୍‌ ମୋବାଇଲ୍‌ କମ୍ପାନୀ ବିବୋ। BCCI ବିବୋ ସହ ନିଜର ସହଭାଗିତା ଜାରି ରଖିବ ବୋଲି ଅନୁଷ୍ଠାନର କୋଷାଧ୍ୟକ୍ଷ ଅରୁନ ଧୁମାଲ ଆଜି ସ୍ପଷ୍ଟ କରିଛନ୍ତି। BCCI ସହ ୫ ବର୍ଷ ପାଇଁ ଆଇପିଏଲ୍‌ର‌ ଟାଇଟଲ୍‌ ସ୍ପନ୍ସର (ମୁଖ୍ୟ ପ୍ରଯୋଜକ) ଭାବେ ଚୁକ୍ତିବଦ୍ଧ ହୋଇଛି ବିବୋ। ଚୁକ୍ତି ଅନୁସାରେ ୫ ବର୍ଷରେ ୨,୧୯୯ କୋଟି ବା ବର୍ଷକୁ ପ୍ରାୟ ୪୪୦ କୋଟି ଟଙ୍କା ଦେଉଛି ବିବୋ।

Comments are closed.