Odisha Link
Bridging the Missing Links in Odisha

କଲବଲ କରୁଛି କରୋନା, ଜୁଲାଇରେ ଗଲାଣି ୫୦ ଜୀବନ

ଭୁବନେଶ୍ବର: ସାରା ବିଶ୍ବକୁ କଲବଲ କରୁଛି ମହାମାରୀ କରୋନା ଭାଇରସ୍। ବିଶ୍ବର ପ୍ରାୟ ସମସ୍ତ ଦେଶରେ ନିଜର କରାଳ ରୂପ ଦେଖାଉଛି କରୋନା। ଯାହାକୁ ନେଇ ବିଶ୍ବବାସୀ ଚିନ୍ତାରେ। ସେହିପରି ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷକରି ଜୁଲାଇ ମାସରେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା।

୩ ମାସ ତଳେ କାଁ ଭାଁ ଗୋଟେ ଦୁଇଟା ଲୋକେ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟର ପରିସ୍ଥିତି ଏପରି ହେଲାଣି ଯେ ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି। ଜୁଲାଇ ମାସର ଦିନ ୧୧ଟା ନ ଯାଉଣୁ ୫୦ରୁ ଊର୍ଦ୍ଧ୍ବ ମୁଣ୍ଡ ନେଇ ସାରିଲାଣି କରୋନା। ପୂର୍ବରୁ ଗୋଟିଏ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ନେଉଥିଲେ ଲୋକେ। ହେଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଆକଳନ କରିପାରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ଏବେ ସବୁବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନ। ବିଶେଷ ଭାବେ କରୋନା ଯୋଦ୍ଧା ମାନେ କିଛିଦିନ ହେବ ବେଶି ଆକ୍ରାନ୍ତ ହେଉଛନ୍ତି।

ରାଜ୍ୟରେ ୧୨୦୦ରୁ ଅଧିକ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି। ଏଥିମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଡାକ୍ତର ରହିଥିବା ବେଳେ ୮ଜଣ ଓଏଏସ୍, ୩୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ, ୪୦୦ରୁ ଊର୍ଦ୍ଧ୍ବ ନର୍ସ ଓ ପାରା ମେଡିକାଲ ଷ୍ଟାଫ୍, ସରପଞ୍ଚ, ୱାର୍ଡମ୍ବେର, ୨ଜଣ ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ରହିଛନ୍ତି। ଏମିତିକି କେତେକ ସାମ୍ବାଦିକ, ଆଇନଜୀବୀ ମଧ୍ୟ ସଂକ୍ରମିତ ହୋଇସାରିଲେଣି। କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ଚିନ୍ତା ବଢ଼ାଇ ଦେଇଛି।

ବିଶେଷକରି ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କ୍ଷୀପ୍ର ଭାବେ ବଢ଼ିବାରେ ଲାଗିଛି। ସରକାର ସବୁ କଳ ବଳ ଲଗାଇଥିଲେ ବି ଗଞ୍ଜାମର ସଂକ୍ରମଣ ଓ ମୃତ୍ୟୁ ହାର ପାଇଁ ଓଡ଼ିଶା ବହୁ ମାନଦଣ୍ଡରେ ପଛରେ ପଡି ଯାଇଛି। କିଛିଦିନ ପୂର୍ବରୁ ସରକାର ଯେଉଁ ଆରୋଗ୍ୟ ହାରକୁ ନେଇ ଖୁସି ଅନୁଭବ କରୁଥିଲେ ଏବେ ସେ ସ୍ଥିତି ଆଉନାହିଁ। ରାଜ୍ୟର ସ୍ଥିତି ସଙ୍ଗିନ ହୋଇ ସାରିଥିବାରୁ ଆରୋଗ୍ୟ ହାର ମଧ୍ୟ ୧୫ଟି ରାଜ୍ୟ ପଛକୁ ଚାଲିଯାଇଛି। ରିକଭରି ହାରରେ ଓଡ଼ିଶା ଏବେ ୧୬ତମ ରାଜ୍ୟ ଭାବେ ପରିଗଣିତ ହେଉଛି।

୮୬.୭୩ ପ୍ରତିଶତ ରଖି ପ୍ରଥମେ ଲଦାଖ ଥିବାବେଳେ ଏହାପରେ ଉତ୍ତରାଖଣ୍ଡ, ଛତିଶଗଡ଼, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ ତ୍ରିପୁରା, ହରିଆଣା, ମଧ୍ୟପ୍ରଦେଶ ପ୍ରଭୃତି ୧୫ଟି ରାଜ୍ୟ ରହିଛି। ଓଡ଼ିଶାର ଆରୋଗ୍ୟ ହାର ୬୬.୧୩ ପ୍ରତିଶତ ପାଇଁ ୧୬ତମ ସ୍ଥାନରେ ରହିଛି।

Comments are closed.