Odisha Link
Bridging the Missing Links in Odisha

ସାବାସ୍‌ ସାମ୍ବାଦିକ: ପିପିଇ ପିନ୍ଧି ଉଠାଇଲେ ଶବ

ବ୍ରହ୍ମପୁର: ବର୍ତ୍ତମାନ ମହାମାରୀ ସମୟରେ ସାଧାରଣ ଜନତାଙ୍କୁ ନିରନ୍ତର ଖବର ପରସି କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକ ପୁଣି ଥରେ ଭିନ୍ନ କାରଣ ପାଇଁ ପ୍ରଶଂସିତ ହୋଇଛନ୍ତି। କରୋନା ସଂକରମଣ ଭୟରେ ଜଣେ ବୃଦ୍ଧଙ୍କ ଶବସତ୍କାର ପାଇଁ ସ୍ଥାନୀୟ ଜନତା ଅସହଯୋଗ କରୁଥିବା ବେଳେ ଆଗେଇ ଆସିଥିଲେ ୪ ଜଣ ସାମ୍ବାଦିକ। ପିପିଇ କିଟ୍‌ ପିନ୍ଧି ଶବକୁ କାନ୍ଧ ଦେଇଥିଲେ ଗଞ୍ଜାମ ଜିଲ୍ଲାର ଏହି ସାମ୍ବାଦିକ। ଆଉ ସେମାନଙ୍କର ଏଭଳି ମାନବିକତା ଆଗରେ ଏବେ ସମାଜ ନତମସ୍ତକ।

ଘଟଣା ଘଟିଛି ଆସିକା ଶେରଗଡ଼ ଅଞ୍ଚଳରେ। ବଡ଼ଦାଣ୍ଡସାହି ବାସିନ୍ଦା ତଥା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ପାଢ଼ୀଙ୍କର ଦୀର୍ଘ ୧୦/୧୫ ଦିନ ଧରି ଜ୍ୱର ଓ କାଶ ଲାଗି ରହିଥିଲା। ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଘରେ କେବଳ ତାଙ୍କ ପତ୍ନୀ ରହୁଥିବା ବେଳେ ଦୁଇ ପୁଅ ବାହାର ରାଜ୍ୟରେ ରହନ୍ତି। କରୋନା କଟକଣା କାରଣରୁ ଦୁଇ ପୁଅ ପହଞ୍ଚିପାରି ନଥିଲେ। ଏଭଳି ସମୟରେ ଶବସତ୍କାର ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେମୃତ ପ୍ରଧାନଶିକ୍ଷକଙ୍କ ପତ୍ନୀ। ତେବେ ଶ୍ରୀ ପାଢ଼ୀଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ସନ୍ଦେହ କରି ଭୟରେ କେହି ବି ଶବସତ୍କାର ପାଇଁ ବାହାରି ନଥିଲେ।

ତେବେ ବିଳମ୍ବିତ ରାତିରେ ଏ ବାବଦରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ୪ ଜଣ ସାମ୍ବାଦିକ; ବାଲାଜୀ ପ୍ରଧାନ, ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ ଓ ଅଜିତ କୁମାର ପଣ୍ଡା। ସେମାନେ ପିପିଇ ସୁରକ୍ଷା କିଟ୍‌ ପିନ୍ଧି ଶବକୁ କାନ୍ଧରେ ବୋହି ଆମ୍ବୁଲାନ୍ସରେ ରଖିଥିଲେ। ଆମ୍ବୁଲାନ୍ସରେ ଶବ ନେଇ ବ୍ରହ୍ମପୁରରେ ଦାହ କରାଯାଇଥିଲା।

ସ୍ଥାନୀୟ ସାମ୍ବାଦିକମାନଙ୍କର ଏ ମାନବୀୟ ପ୍ରତିବେଦନ ପାଇଁ ଏବେ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ।

Comments are closed.