Odisha Link
Bridging the Missing Links in Odisha

WHO ମୁଖ୍ୟଙ୍କ ବଡ଼ ବୟାନ, ଏବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟୀକା!

ନୂଆଦିଲ୍ଲୀ: ସାରା ବିଶ୍ବ ମହାମାରୀ କରୋନାକୁ ନେଇ ଆତଙ୍କିତ। ଦିନକୁ ଦିନ ସଂକ୍ରମଣ ବ୍ୟାପୁଥିବା ବେଳେ ସମସ୍ତଙ୍କ ନଜର ଏବେ କରୋନା ଟୀକା ଉପରେ। କରୋନା ଟୀକା ପାଇଁ ବିଶ୍ୱର ବୈଜ୍ଞାନିକ, ଗବେଷକ, ଡାକ୍ତର ଅହରହ ଉଦ୍ୟମ କରୁଛନ୍ତି। ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ହେଲେ କେବେ ଭ୍ୟାକ୍‌ସିନ୍‌ ଆସିବ ସେନେଇ କିଛି ସ୍ପଷ୍ଟ ତଥ୍ୟ ମିଳିପାରୁ ନାହିଁ। ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏକ ବାର୍ତ୍ତା ଦେଇଛି ଯାହାକି ଏକ ଆଶ୍ୱସ୍ତିକର ଖବର।

ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟୀକା। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ କରୋନା ଦୂର ପାଇଁ ଆମର ଟୀକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟୀକା ପହଞ୍ଚିପାରେ।

ବଜାରକୁ ଆସିବା ପରେ ଟୀକାକରଣର ସମାନ ବଣ୍ଟନକୁ ନଜରରେ ରଖି ବିଶ୍ବ ଏକତା ଏବଂ ରାଜନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ଟେଡ୍ରୋସ୍ କହିଥିଲେ । ସେ କହିଛନ୍ତି ଯେ ଆମକୁ ପରସ୍ପରର ଆବଶ୍ୟକତା ଅଛି, ଆମକୁ ଏକତାର ଆବଶ୍ୟକତା ରହିଛି ଏବଂ ଜୀବାଣୁଙ୍କ ମୁକାବିଲା ପାଇଁ ଆମକୁ ସମସ୍ତ ଶକ୍ତି ବ୍ୟବହାର କରିବାକୁ ପଡିବ। WHO ନେତୃତ୍ୱାଧୀନ COVAX ବିଶ୍ବସ୍ତରୀୟ ଟୀକା ସୁବିଧା ପାଇପଲାଇନରେ ନଅଟି ପରୀକ୍ଷାମୂଳକ ଟୀକା ଅଛି।

ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବିଶେଷ ବୈଠକରେ କହିଛି ଯେ, ଦୁନିଆରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମଣ ହୋଇଥାନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏ ଅନୁମାନ ବା ଆକଳନର ଅର୍ଥ ହେଉଛି ପୃଥିବୀ ଜନସଂଖ୍ୟାର ଏକ ବଡ଼ ଅଂଶ ବିପଦରେ ରହିଛି। ଏବେ ସୁଦ୍ଧା ଦେଢ଼ଶହରୁ ଅଧିକ ଦେଶରେ ୩.୫ କୋଟି ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମାତ୍ର ସଂଗଠନର କହିବା କଥା ସଂକ୍ରମଣର ଅସଲି ତଥ୍ୟ ୮୦ କୋଟି ପାଖାପାଖି ହୋଇପାରେ।

Comments are closed.