Odisha Link
Bridging the Missing Links in Odisha

ଟିଆର୍‌ପି ଘୋଟାଲା: ବିଳିବିଳେଇଲେ ଅର୍ଣ୍ଣବ, ରଜତ ଶର୍ମାଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ୍

ମୁମ୍ବାଇ: ଟେଲିଭିଜନ୍‌ ରେଟିଂ ପଏଣ୍ଟ୍ (TRP)‌ ଠକେଇ ମାମଲାରେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣ୍ଣବ୍‌ ଗୋସ୍ବାମୀ ଛନ୍ଦି ହୋଇ ପଡ଼ିଥିବା ବେଳେ ତାଙ୍କ ବିରୋଧରେ ଖୋଲାଖୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟିଭି ମୁଖ୍ୟ ରଜତ୍‌ ଶର୍ମା। ଏଥିରେ ଅଗ୍ନିବାଣ ହୋଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ପୂର୍ବରୁ ବିଭିନ୍ନ ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ଖୋଲା ଆଲୋଚନା ପାଇଁ ବାରମ୍ବାର ଆହ୍ବାନ ଦେଇ ଆସୁଥିବା ଅର୍ଣ୍ଣବ୍‌ ସମାନ୍‌ ଢଙ୍ଗରେ ରଜତଙ୍କ ଉପରେ ରାଗ ଝାଡ଼ିଛନ୍ତି।

ଟିଆର୍‌ପି ଘୋଟାଲା ସାମନାକୁ ଆସିବା ପରେ ପ୍ରସାରଣ ଦର୍ଶକ ଗବେଷଣା ପରିଷଦ (BARC) ସାମୟିକ ଭାବେ ସାପ୍ତାହିକ ଟିଆର୍‌ପି ବିବରଣୀ ପ୍ରକାଶ ନ କରିବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ୍‌ (NBA) ସଭାପତି ରଜତ ଶର୍ମା ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଅର୍ଣ୍ଣବ ଏହାକୁ ବିରୋଧ କରିଛନ୍ତି। କେବଳ ସେତିକି ନୁହେଁ, ରଜତ ନିଜର ଟିଭି ଚାନେଲରେ ଟିଆର୍‌ପି ଘୋଟାଲା ବାବଦରେ ଆପାତତଃ ନିରପେକ୍ଷ କାର୍ଯ୍ୟକ୍ରମ ପ୍ରସାରଣ କରିବା ସହ ଏ ନେଇ ମୁମ୍ବାଇ ପୁଲିସ କମିଶନର୍‌ ପରମବୀର ସିଂହଙ୍କର ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଅର୍ଣ୍ଣବ୍‌ ରଜତ ଶର୍ମାଙ୍କୁ ଆଲୋଚନା ପାଇଁ ଖୋଲା ଆହ୍ବାନ ଦେଇଛନ୍ତି। ଅର୍ଣ୍ଣବ କହିଛନ୍ତି-

ମୁଁ ଆପଣଙ୍କ ସହ ମୁହାଁମୁହିଁ ଆଲୋଚନା ଚାହୁଁଛି। ରଜତ ଶର୍ମା, ମୋତେ ଆପଣଙ୍କ ଚ୍ୟାନେଲକୁ ଡାକ। ମୋତେ ସାମନା କରନ୍ତୁ। ଅର୍ଣ୍ରବ୍‌ ପୁଣି କହିଛନ୍ତି- ଯଦି ସେଗୋଟେ ପ୍ରଶ୍ନ ପଚାରିବେ, ମୁଁ ଦୁଇଟି ପଚାରିବି। ସେ ଦୁଇଟି ପଚାରିଲେ ମୁଁ ୪ଟି ପ୍ରଶ୍ନ ରଖିବି। ସେ ୪ ପ୍ରଶ୍ନ ପଚାରିଲେ ମୁଁ ୧୫ ପ୍ରଶ୍ନ କରିବି। ଆପଣ ଜଣେ ବରିଷ୍ଠ ସାମ୍ବାଦିକ। ବଡ଼ଙ୍କୁ ସମ୍ମାନ ଦେବା ଆମର ସଂସ୍କୃତି। କିନ୍ତୁ ଆମ ବିଷୟରେ ଜଣେ ଯଦି ମିଛ କହୁଛି, ସତ କେମିତି ବାହାର କରାଯାଏ ଆମକୁ ବେଶ୍‌ ଜଣା। ମୁଁ ସେ କଥା ଆପଣଙ୍କ ଦର୍ଶକମାନଙ୍କୁ କହିବାକୁ ଚାହୁଁଛି।

ଟିଆର୍‌ପି ମାମଲାରେ ଛନ୍ଦିହେଲା ପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ପୂର୍ବରୁ ଜି-ନ୍ୟୁଜ୍ ନେଟଓ୍ବର୍କ ସଂପାଦକ ସୁଧୀର ଚୌଧୁରୀ ମଧ୍ୟ ମୁମ୍ବାଇ ପୁଲିସ କମିଶନର୍‌ଙ୍କର ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ। ସୁଧୀର ଖୋଲାଖୋଲି ଟିଆର୍‌ପି ଘୋଟାଲାକୁ ବିରୋଦ କରିଥିଲେ। କୌଣସି ଚ୍ୟାନେଲ ନାମ ଉଚ୍ଚାରଣ ନ କରି ସୁଧୀର କହିଥିଲେ ଯେ, ମିଛ ଟିଆର୍‌ପି ଦେଉଥିବା ଚ୍ୟାନେଲ୍‌ ଆଡ଼କୁ ଟାଣି ନ ହୋଇ ଯାହା ଗୁରୁତ୍ବପୂର୍ଣ୍ଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ଦେଖନ୍ତୁ। ସେତେବେଳେ ଅର୍ଣ୍ଣବଙ୍କ ଅନୁଗାମୀମାନେ ଟ୍ବିଟର୍‌ରେ #ShameOnDNA ହାଶ୍‌ ଟ୍ୟାଗ୍‌ ମାଧ୍ୟମରେ ସୁଧୀରଙ୍କୁ ବିରୋଧ କରିଥିଲେ। ତେବେ ବି ଜୀ ନ୍ୟୁଜ୍‌ ନିରନ୍ତର ଭାବେ ଟିଆର୍‌ପି ଘୋଟାଲା ଉପରେ ଖବର ପ୍ରସାରଣ କରିଚାଲିଛି।

ଟିଆର୍‌ପି ଚୋରି କରିବା ମାମଲାରେ ଅର୍ଣ୍ଣବଙ୍କ ରିପବ୍ଲିକ୍‌ ମିଡିଆ ନେଟଓ୍ବର୍କ ସମେତ ୩ଟି ଚ୍ୟାନେଲ ବିରୋଦରେ ଅଭିଯୋଗ ଫର୍ଦ୍ଦ ବାଢ଼ିଛି ମୁ୍ବାଇ ପୁଲିସ। ତେବେ ଏଥିରେ ସଂପୃକ୍ତ ନୁହେଁ ବୋଲି ସଫେଇ ରଖିଛି ରିପବ୍ଲିକ୍‌ ଟିଭି। ଏ ମାମଲାରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଅର୍ଣ୍ଣବଙ୍କ ଗିରଫଦାରୀ ଏଡ଼ାଇବା ପାଇଁ ଅନ୍ତରୀଣ ସୁରକ୍ଷା ପ୍ରାର୍ଥନା କରି ସୋମବାର ଦିନ ଓକିଲ ହରିଶ୍‌ ସାଲ୍‌ଭେ ମୁମ୍ବାଇ ହାଇକୋର୍ଟର ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି। ଅର୍ଣ୍ଣବ ତଦନ୍ତରେ ସହଯୋଗ କରିବେ ବୋଲି ସାଲ୍‌ଭେ କୋର୍ଟକୁ କହିଛନ୍ତି।

Comments are closed.