Odisha Link
Bridging the Missing Links in Odisha

ଭାବି ସମୁଦି ଅଭୟକାନ୍ତଙ୍କୁ ଅଭୟ ଦେଇଥିଲେ ବିଜେଡି ବିଧାୟକ!

ଭୁବନେଶ୍ବର: ଯେତେ ଲୁଚେଇଲେ ବି ଲୁଚିବାର ନା ଧରୁନି କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ କଳା କାରନାମା। ପାଠକ ବାପ-ପୁଅଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାରେ ପଡ଼ିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ଆକାଶ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଏ ନେଇ ଖୋଳତାଡ଼ ଆରମ୍ଭ କରିଛି।

ଅଫିସର-ନେତା-ମାଫିଆ ମିଶି କେମିତି ଠକେଇ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ତାହାର ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି ଭିଜିଲାନ୍ସ। ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଯାଇଛି। ଏବେ ଏସ୍‌ଆଇଟି ସେହି ଆଧାରରେ ଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି।

ବିଜେଡିରୁ ବିଦା ହେଲେ ପ୍ରଦୀପ ପାଣିଗ୍ରାହୀ

ମିଳିଥିବା ସୂଚନା ଅନୁସାରେ, ଟାଟା ଗୋପାଳପୁରରେ ଏହାର ଏକ ପ୍ରକଳ୍ପ କରିବା ଲାଗି ଜମି ଅଧିଗ୍ରହଣ କରିଥିଲା। ଜମି ହରାଇ କ୍ଷତିପୂରଣ ପାଇଥିବା ମାଲିକମାନଙ୍କୁ ଜାଲରେ ଫସାଇବା ପାଇଁ ହୋଇଥିଲା ଯୋଜନା। ଏଥିପାଇଁ ଆକାଶକୁ କରାଯାଇଥିଲା ଢାଲ। ଇଞ୍ଜିନିୟରିଂ ଡିଗ୍ରିଧାରୀ ଆକାଶ ପୁନେରେ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ୍ ନାଁରେ ନକଲି ଅଫିସ ଖୋଲିଥିଲା। ନିଜକୁ ଏମ୍‌ଡି ବୋଲି ଦର୍ଶାଇ ଟାଟା ମୋଟର୍ସ ନାଁରେ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା। ଟାଟା ମୋଟର୍ସ ଲୋଗୋ ବ୍ୟବହାର କରି ଚାକିରି ନାଁରେ ବିଜ୍ଞାପନ ଦେଇଥିଲା। ଏହିଠାରେ ହିଁ ଶ୍ରୀ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଛି। ଜମି ହରାଇଥିବା ମାଲିକଙ୍କମାନଙ୍କୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ କରି ଆକାଶ ପର୍ଯ୍ୟନ୍ତ ପହଞ୍ଚାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ।

ଖବର ଅନୁସାରେ, ମ୍ୟାନେଜମେଣ୍ଟ ଟ୍ରେନି ଓ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ନାଁରେ ପଦବି ତିଆରି କରାଯାଇଥିଲା। ଗତ ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ କରା ଯାଇଥିଲା। କରୋନା ଚାଲୁଥିବାରୁ ଆକାଶ ଚାକିରି ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ଅନ୍‌ଲାଇନରେ ସାକ୍ଷାତକାର ନେଇଥିଲା। ଏହା ପରେ ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। ଗ୍ରାଜୁଏଟ୍ ଇଞ୍ଜିନିୟର ଚାକିରି ପାଇଁ ବର୍ଷକୁ ୬ ଲକ୍ଷ ୧୦ ହଜାର ଟଙ୍କାର ଅଫର ଲେଟର ଦିଆ ଯାଇଥିଲା। ୨୧ ଦିନ ଭିତରେ ଏହାର ଜବାବ ରଖିବା ପାଇଁ କୁହା ଯାଇଥିଲା। ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ମାନବ ସମ୍ବଳ ବିଭାଗର ସିନିୟର ମ୍ୟାନେଜର ଅରୁଣ ଫୁଲେରାଙ୍କ ନାଁରେ ପ୍ରକାଶିତ ହୋଇଥିଲା। ସେହିପରି ଅଫର ଲେଟର ମଧ୍ୟ ଏହି ଦସ୍ତଖତରେ ଦିଆଯାଇଥିଲା। ଆକାଶ ପୁନେରେ ଅଫିସ ଖୋଲି ଉଚ୍ଚ ଦରମାରେ ମ୍ୟାନେଜରଙ୍କୁ ନିଯୁକ୍ତି ଦେଇଥିଲା। ଭିଜିଲାନ୍ସ ସେହି ଅଫିସରେ ଚଢ଼ଉ କରିବା ପରେ ମ୍ୟାନେଜରଙ୍କ ସମ୍ପର୍କରେ ସୁରାକ୍ ପାଇଛି।

ସୂଚନାଥାଉକି, ରବିବାର ଦିନ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ର୍ତ୍ତମାନର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

Comments are closed.