Odisha Link
Bridging the Missing Links in Odisha

ସଇତାନ୍‌ ବୃଦ୍ଧ: ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୮୭ ବର୍ଷୀୟ ଦୁର୍ବୃତ୍ତ, ହେଲେ ଗିରଫ

ଆଳି: ୫ ବର୍ଷର ଶିଶୁକନ୍ୟାକୁ ୮୭ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ। ଏଭଳି ଏକ ନୃଂଶସ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମରେ। ନିଜ ନାତୁଣୀ ବୟସର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ। ଏହି ମାମଲାରେ ଆଜି ସକାଳୁ ବୃଦ୍ଧଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ନାବାଳିକାଙ୍କ ମାଆ ଗତକାଲି ଆଳି ଥାନାରେ ତାଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ସେହି ଗ୍ରାମର ୮୭ ବର୍ଷ ବୟସ୍କ ଦୋକାନୀ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ତାଙ୍କର ୫ ବର୍ଷର ସାନ ଝିଅକୁ ଟେକିନେଇ ତାଙ୍କର ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ରଖିଥିଲେ।

ଏନେଇ ଖବର ପାଇ ସେ ଯାଇ ଦେଖନ୍ତି ତ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ନିସ୍ତେଜ ହୋଇ ପଡ଼ି ରହିଥିଲା। ଝିଅକୁ ନେଇ ଘରେ ଦେଖିବା ପରେ ତାର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଏସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟି ସୁନାକରଙ୍କ ପୁଅ ନାନା ଧମକ ଦେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ସୁନାକରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ନାନା ଧମକଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ନଜରବନ୍ଦୀରେ ରଖିଥିଲେ।

ଶନିବାର ଗାଁରୁ ଲୁଚିଛପି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଳି ପୁଲିସ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ଆଜି ସକାଳୁ ଗିରଫ କରିଥିବା ନେଇ ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.