Odisha Link
Bridging the Missing Links in Odisha

ବାୟୁସେନାରେ ସାମିଲ ହେବ ୮୩ ତେଜସ୍ ବିମାନ

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ୮୩ଟି ଲଢ଼ୁଆ ତେଜସ୍ ବିମାନ। ଏ ନେଇ କ୍ୟାବିନେଟ୍ କମିଟି ବୈଠକରେ ୪୮ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏହି ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ କହିଛନ୍ତି ଯେ, ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହେବା ସହ ନୂଆ ଚାକିରି ସୃଷ୍ଟି କ୍ଷେତ୍ରରେ ମଧ୍ୟ ସହାୟକ ହେବ ବୋଲି ରାଜନାଥ ସିଂ କହିଛନ୍ତି। ଏହି ଡିଲ୍‌କୁ ନେଇ ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ନାସିକ୍ ଓ ବୋଙ୍ଗାଲୁରୁରେ ଅନ୍ୟ ଦୁଇଟି ନିର୍ମାଣ ସ୍ଥଳ ସ୍ଥାପନ କରିଛି। ହିନ୍ଦୁସ୍ଥାନ ଏରୋନୋଟିକ୍ସ ଏଲ୍ସିଏ-ଏମକେ ୧ ଏ ର ନିର୍ମାଣ କରି ବାୟୁସେନାକୁ ଦେବ।

ତେଜସ୍‌ ଲଢ଼ୁଆ ବିମାନ ଆକାଶପଥରେ ମିସାଇଲ୍ ମାଡ଼ କରିବା ସହିତ ଭୂପୃଷ୍ଠରେ ମଧ୍ୟ ସଠିକ୍ ଭାବେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏଥିରେ ଆଣ୍ଟିସେପ୍ଟି ମିସାଇଲ୍, ବୋମା ଏବଂ ରକେଟ୍ ଖଞ୍ଚା ଯାଇପାରିବ। ତେଜସ୍‌କୁ ୪୨ ପ୍ରତିଶତ କାର୍ବନ ଫାଇବର୍, ୪୩ ପ୍ରତିଶତ ଆଲିମିନିୟମ୍ ଓ ଟଇଟାନିୟମ୍‌ରେ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗରେ ନିର୍ମିତ ବିମାନ। ସମସ୍ତ ସୁପରସୋନିକ୍ ବିମାନ ମଧ୍ୟରେ ତେଜସ୍ ହେଉଛି ସବୁଠାରୁ ହାଲୁକା ଏବଂ ସବୁଠାରୁ ଛୋଟ ବିମାନ । ଏହି ହାଲୁକା ବିମାନକୁ ଭାରତୀୟ ବାୟୁସେନା ଦ୍ୱାରା ପଶ୍ଚିମ ଅଞ୍ଚଳର ପାକିସ୍ଥାନ ସୀମା ପାଖାପାଖି ମୁତୟନ କରାଯାଇଛି।

Comments are closed.