Odisha Link
Bridging the Missing Links in Odisha

ପତ୍ନୀକୁ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପତ୍ନୀକୁ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ ଏହା ସୁପ୍ରିମ୍‌କୋର୍ଟ ମତ ରଖିଛନ୍ତି। ପ୍ରକାଶ ଯେ, ଉତ୍ତରପ୍ରଦେଶ ଗୋରଖପୁରର ହେମନ୍ତ ଗୁପ୍ତା ୨୦୧୩ରେ ତାଙ୍କ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଥିଲେ।

ପରବର୍ତ୍ତୀ ସମୟରେ ମହିଳା ଜଣକ ରକ୍ଷଣାବେକ୍ଷଣ ପାଇଁ ଏକ ମାମଲା ଦାୟର କରିବା ପରେ ଗୋରଖପୁର କୋର୍ଟ ସ୍ୱାମୀଙ୍କୁ ମାସକୁ ୨୦ ହଜାର ଟଙ୍କାର ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ, ସ୍ୱାମୀ ହେମନ୍ତ ଭରଣ ପୋଷଣ ଦେବା ବଦଳରେ ପତ୍ନୀଙ୍କ ସହ ଆଉଥରେ ଏକାଠି ରହିବା ପାଇଁ ଗୋରଖପୁରର ଏକ ପରିବାର କୋର୍ଟରେ ଏକ ଆବେଦନ କରିଥିଲେ।

ପରିବାର ଅଦାଲତ ଏହି ମାମଲାର ବିଚାର କରି ହିନ୍ଦୁ ବିବାହ ଆଇନର ଧାରା ୯ ଅନୁଯାୟୀ ହେମନ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ, ମହିଳା ଜଣକ ଏଥିରେ ରାଜି ହୋଇ ନଥିଲେ। ହେମନ୍ତ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରି ତାଙ୍କ ପତ୍ନୀଙ୍କୁ ତାଙ୍କ ସହ ସହ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

ସୁପ୍ରମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ମଙ୍ଗଳବାର ଏହି ମାମଲାର ଶୁଣାଣି କାଳରେ କହିଥିଲେ ଯେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହିବା ପାଇଁ ବାଧ୍ୟ ନୁହନ୍ତି।

କୋର୍ଟ ପଚାରିଥିଲେ, ତୁମେ କ ’ଣ ଭାବୁଛ? ଜଣେ ବିବାହିତା ମହିଳା କ’ଣ ତା’ ସ୍ୱାମୀର ‘ଦାସ’ ନା ତା’ ‘ସଂପତ୍ତିର ଏକ ଅଂଶ’ ଯେ ତାଙ୍କୁ ତୁମ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ କି? ଯେଉଁଠି ପତ୍ନୀ ତୁମ ସହ ଯିବାକୁ ଇଚ୍ଛୁକ ନୁହନ୍ତି, ସେ କ୍ଷେତ୍ରରେ ତାଙ୍କୁ ତୁମ ସହ ଯିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ।