Odisha Link
Bridging the Missing Links in Odisha

ଧୁମ୍‌ଧାମ୍‌ରେ ସରିଲା ବାହାଘର, ଅଧା ରହିଗଲା ଚଉଠି ରାତି!

ନୀଳଗିରି: ଧୁମ୍‌ଧାମ୍‌ରେ ସରିଲା ବାହାଘର। ଶାଶୁଘରେ ଚତୁର୍ଥୀ ପୂଜା ପରେ ଥାନାରେ ପହଞ୍ଚିଲେ ନବବଧୂ। ପରିସ୍ଥିତି ଏପରି ହେଲା ଯେ, ପୁଅ ଘରେ ଅଟକ ରହିଲେ ଝିଅ ଘର ଲୋକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଅଞ୍ଚଳରେ।

ସୂଚନା ମୁତାବକ, ଗତ ୫ ତାରିଖରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗ୍ରାମର ବିହାରୀ ବେହେରାଙ୍କ ପୁଅ ଶମ୍ଭୁନାଥଙ୍କର ମର୍ଦରାଜପୁର ଗାଁର ଗୌତମଙ୍କ ଝିଅ ମୋନାଲିସାଙ୍କ ସହ ଧୁମଧାମରେ ବିବାହ ହୋଇଥିଲା। ଚତୁର୍ଥୀ ଦିନ ଚତୁର୍ଥୀ ପୂଜା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା। ଏହାପରେ ନବବଧୂ ପହଞ୍ଚିଥିଲେ ଥାନାରେ।

ସ୍ବାମୀଙ୍କ ସହ ନରହିବାକୁ ଜିଦ୍ ଧରି ବସିଛନ୍ତି ନବବଧୂ। ଯଦି ବାପ ଘରକୁ ନଛଡା ଯାଏ ତେବେ ଆତ୍ମହତ୍ୟା କରିବାକୁ ଝିଅ ଧମକ ଦେଇଛନ୍ତି। ଖବର ପାଇ ବାପଘର ଲୋକେ ପହଞ୍ଚି ଥିଲେ ଶାଶୁଘରେ। ସେଠାରେ ବାପଘର ଲୋକଙ୍କୁ ଶାଶୁଘର ଲୋକ ଅଟକ ରଖିଛନ୍ତି। ନବବିବାହିତା ନ୍ୟାୟ ପାଇଁ ଏବେ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଶାଶୁଘର ଲୋକଙ୍କ ମୁତାବକ, ବିବାହ ପୂର୍ବରୁ ଅନ୍ୟ ପୁଅ ସହ ଝିଅର ପ୍ରେମ ସମ୍ପର୍କ ଥିଲା। ଏବେ ଝିଅ ତା’ ପାଖକୁ ଚାଲିଯିବାକୁ କହି ଶ୍ୱଶୁରଘର ଛାଡିବାକୁ ଜିଦ ଧରିଥିବା ଅଭିଯୋଗ ଆଣିଛନ୍ତି ପୁଅ ଘର ଲୋକେ। ବିବାହରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେତିକି ଟଙ୍କା ଫେରାଇବା ପାଇଁ ଝିଅ ଘର ଲୋକଙ୍କ ଉପରେ ପୁଅ ଘର ଲୋକେ ଦାବି କରିଛନ୍ତି।

ଅନ୍ୟପଟେ ଝିଅ କହିଛନ୍ତି, ତାଙ୍କୁ ଶ୍ୱଶୁର ଘର ଲୋକେ ପସନ୍ଦ ଆସୁନାହାନ୍ତି। ଶାଶୁ ଶ୍ୱଶୁର ବିବାହ ପରଠୁ ମୋ ସହ କଥା ହେଉନାହାନ୍ତି। ମୋତେ ଗାଳି ଗୁଲଜ କରୁଛନ୍ତି। ମୋତେ ଜୋରଜବରଦସ୍ତି ବିବାହ କରିଦିଆଯାଇଛି। ତେଣୁ ମୋତେ ପିଟି ପିଟି ମାରିଦେଲେ ବି ମୁଁ ଆଉ ଏଠି ରହିବି ନାହିଁ ବୋଲି ସେ ଜିଦ ଧରି ବସିଛନ୍ତି।

 

 

 

 

 

 

Comments are closed.