Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଲେନ୍ସ ଲଗାଇ ଖୋଜିବାକୁ ପଡ଼ୁଛି

ଭୁବନେଶ୍ୱର: ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ବର୍ତମାନ ସମୟରେ ଲେନ୍ସ ଲଗାଇ ଖୋଜିବାକୁ ପଡ଼ୁଛି। ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ‘ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ’କୁ ଅନୁଶୀଳନ କରିବାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ପରିଚାଳନା ଦାୟିତ୍ୱରେ ଅଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗହ ମନ୍ତ୍ରୀ ନବ ଦାସଙ୍କୁ ଲେନ୍ସ ଲଗେଇକି ଖୋଜିବାକୁ ପଡ଼ୁଛି। ବର୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ହେଉଛି ଟେଷ୍ଟିଂ ବଢ଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଂଟ୍ କରିବା ୍ର। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ରାଜ୍ୟ ଗୁଡ଼ିକୁ କହିଛନ୍ତି ଯେ ଯଦି ଏହି ୩ଟି ନିୟମକୁ ଅନୁଶୀଳନ କରାଯିବ ତେବେ ବହୁ ସହଜରେ ସବୁ କାମ ସମ୍ଭବ ହୋଇପାରିବ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଶେଷ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୃହ ଜିଲ୍ଲା ଝାରସୁଗୁଡ଼ା ତଥା ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ା, ପଡ଼ୋଶୀ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ସମୂହରୁ ଆସୁଛନ୍ତି । ମାତ୍ର ବର୍ତମାନ ସମୟରେ ଏ ସବୁ ଜାଗାରେ ସ୍ଥିତି ସଙ୍ଗୀନ ରହିଛି। ଏହି ଜିଲ୍ଲା ମାନଙ୍କରେ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ହୋଇପାରୁନାହିଁ।

ପ୍ରଥମତଃ କୋଭିଡ଼୍ ଟେଷ୍ଟିଂ ରିପୋର୍ଟ ପାଇବା ପାଇଁ ୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଆରଟିପିସିଆର ଟେଷ୍ଟ୍ କମ୍ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ବୁର୍ଲାରେ ଏବଂ ରାଉରକେଲାରେ କେବଳ ଟେଷ୍ଟିଂ ସୁବିଧା ରହିଛି। ଗୋଟେ ରୋଗୀର ସାମ୍ପଲ ଆସି ରୋପୋର୍ଟ ପହଁଚିବା ପାଇଁ ୭୨ ଘଂଟାରୁ କମ୍ ସମୟ ଲାଗୁନାହିଁ । ରୋଗୀ ବଞ୍ଚିବ ନା ମରିଯିବ। ଆବଶ୍ୟକ ତୁଳନାରେ କେତେ ସଂଖ୍ୟକ ଟେଷ୍ଟିଂ ସୁବିଧା ଅଛି ମନ୍ତ୍ରୀ ମହୋଦୟ ଉତର ଦେବେ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

ସେହିପରି ଦ୍ୱିତୀୟତଃ ଯେତେବେଳେ ଟେଷ୍ଟିଂ କରାଯାଉନାହିଁ ଏବଂ କମ୍ ସଂଖ୍ୟକ ଟେଷ୍ଟିଂ କରୁଥିବା ଲୋକମାନେ କୋଭିଡ୍ ହୋଇଛି କି ନାହିଁ ଆଶା ଆଶଙ୍କାରେ ରହୁଛନ୍ତି । ତେଣୁ ଟ୍ରେସିଂ କିପରି କରାଯିବ? ତୃତୀୟତଃ ପଶ୍ଚିମ ଓଡ଼ିଶାରେ ଟ୍ରିଟମେଂଟ ପାଇଁ ଭିତିଭୂମି ନାହିଁ। ବେଡ୍‌ର ବ୍ୟବସ୍ଥା ନାହିଁ । ଭେଂଟିଲେଟର ନାହିଁ। ଅକ୍ସିଜେନ୍ କମ୍ ଅଛି । ଏହା ପ୍ରାଇମେରୀ ବିଷୟ। ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଗାଇଡଲାଇନର ଉଲ୍ଲଂଘନ କରାଯାଉଛି।

ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ନବ ଦାସଙ୍କ ଦାୟିତ୍ୱ ସମଗ୍ର ରାଜ୍ୟର ଥିବା ବେଳେ ନିଜର ଗୃହ ଜିଲ୍ଲାକୁ ସମ୍ଭାଳୁ ପାରୁନାହାନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଛତିଶଗଡକୁ ଲାଗିଥିବା ବେଳେ ତାଙ୍କ ପାଇଁ ଏହି କଠିନ ସମୟରେ ଆହ୍ୱାନ ବହୁତ ଗୁଡ଼ିଏ ଅଛି । ସେ ନିଜ ଗୃହ ଜିଲ୍ଲାର ତ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି ତେବେ ରାଜ୍ୟର ଦାୟିତ୍ୱ କେମିତି ସମ୍ଭାଳିବେ ନା ଖାଲି ନିଜ ସୁଉଖିନକୁ ପୂରା କରିବା ପାଇଁ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀ? ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ବ୍ୟବସ୍ଥା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଆହ୍ୱାନକୁ ମନ୍ତ୍ରୀ ନବ ଦାସ ପ୍ରଧାନ୍ୟ ଦିଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି।

Leave A Reply

Your email address will not be published.