Odisha Link
Bridging the Missing Links in Odisha

କୋଭିଡ୍‌ ରିପୋର୍ଟ ନଥିବାରୁ ଅଧାବାଟରୁ ଫେରିଲେ ବର !

ପଶ୍ଚିମବଙ୍ଗ ଅଞ୍ଚଳର ଦାନ୍ତନ ଅଞ୍ଚଳ ଦେବାଶିଷ ଦେ ବାଲେଶ୍ବରର ମୋତିଗଞ୍ଜ ଅଞ୍ଚଳକୁ ବିବାହ ପାଇଁ ଆସୁଥିବା ବେଳେ ବେଲଦା ଅଞ୍ଚଳର ଆବାସ ସେନାପତି ବିବାହ ପାଇଁ ଜଗତସିଂହପୁର ଜିଲ୍ଲା ପାରାଦୀପ ଆସୁଥିଲେ।

ବାଲେଶ୍ବର: କରୋନା କଟକଣା ଯୋଗୁଁ ଦୁଇଜଣ ବରଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି, ସେମାନଙ୍କର ବିବାହ ହୋଇପାରିନାହିଁ। ଦୁଇଟି ଭିନ୍ନ ଭିନ୍ନ ବିବାହ ପାଇଁ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସୁଥିବା ଦୁଇବରଙ୍କୁ ଓଡ଼ିଶା ଫୋଲିସ ଫେରାଇଦେଇଛି। ଏପଟେ ବିବାହ ପ୍ରସ୍ତୁତି କରି ଅପେକ୍ଷା କରିଥିବା କନ୍ୟାପକ୍ଷଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି।

କୋଭିଡ୍‌ କଟକଣା ଓଡ଼ିଶାରେ କଡ଼ାକଡ଼ି ପାଳନ ହେଉଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଯାଞ୍ଚ୍‌ କଡ଼ାକଡ଼ି କରାଯାଇଛି। ୬୦ ନମ୍ବର ରାଜପଥରେ ଥିବା ଲକ୍ଷ୍ମଣନାଥ ଠାରେ ବାଲେଶ୍ବର ପୁଲିସ କଡ଼ା ଯାଞ୍ଚ ବ୍ୟବସ୍ଥା କରିଛି। ଆଜି ସେଠାରେ ଦୁଇଜଣ ବର ଓ ସେମାନଙ୍କ ସହ ଆସୁଥିବା ବରଯାତ୍ରୀଙ୍କୁ ପୁଲିସ ଅଟକାଇଥିଲା। ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବିନା ଓଡ଼ିଶାରେ ପ୍ରବେଶ କରିପାରିବେନାହିଁ ବୋଲି ପୁଲିସ ରୋକ୍‌ଠୋକ୍‌ ମନ କରିଦେଇଥିଲା। ଫଳରେ ଉଭୟ ବରଙ୍କୁ ନିରାଶ ହୋଇ ପୁଣି ପଶ୍ଚିମବଙ୍ଗ ଫେରିବାକୁ ହୋଇଛି।

ପଶ୍ଚିମବଙ୍ଗ ଅଞ୍ଚଳର ଦାନ୍ତନ ଅଞ୍ଚଳ ଦେବାଶିଷ ଦେ ବାଲେଶ୍ବରର ମୋତିଗଞ୍ଜ ଅଞ୍ଚଳକୁ ବିବାହ ପାଇଁ ଆସୁଥିବା ବେଳେ ବେଲଦା ଅଞ୍ଚଳର ଆବାସ ସେନାପତି ବିବାହ ପାଇଁ ଜଗତସିଂହପୁର ଜିଲ୍ଲା ପାରାଦୀପ ଆସୁଥିଲେ। ଉଭୟଙ୍କ ସହ କେତେଜଣ ବରଯାତ୍ରୀ ଓ ଆତ୍ମୀୟ ବି ଆସୁଥିଲେ। ଯାଞ୍ଚ୍‌ ବେଳେ ବର କିମ୍ବା ସେମାନଙ୍କ ସହ ଆସିଥିବା ବରଯାତ୍ରୀ କାହାର ମଧ୍ୟ ଆର୍‌ଟିପିସିଆର୍‌ ରିପୋର୍ଟ ନଥିବା ଜଣାପଡ଼ିଥିଲା। ଛାଡ଼ିବା ପାଇଁ ଉଭୟ ବରପକ୍ଷ ପୁଲିସକୁ ଯେତେ ନେହୁରା ହୋଇଥିଲେ ବି ପୁଲିସ ନିୟମ ଭାଙ୍ଗି ସେମାନଙ୍କୁ ଓଡ଼ିଶା ଭିତରକୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନଥିଲା।

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆର୍‌ଟିପିସିଆର୍‌ (ଯାଞ୍ଚ୍‌ ପୂର୍ବର ୪୮ ଘଣ୍ଟା ଭିତରେ) ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ସରକାର। ସେହିପରି ଯେଉଁମାନେ ଦୁଇଟି ଡୋଜ୍‌ କୋଭିଡ୍‌ ପ୍ରତିଷେଧକ ଟିକା ନେଇଥିବେ ସେମାନେ ମଧ୍ୟ ଆସିପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ଯେଉଁମାନଙ୍କ ପାଖରେ ଟେଷ୍ଟ୍‌ ରିପୋର୍ଟ କିମ୍ବା ଟିକା ପ୍ରମାଣ ନଥିବ ସେମାନେ ଓଡ଼ିଶା ଆସିବାକୁ ଚାହୁଥିଲେ ଦୁଇସପ୍ତାହ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି ସରକାର।

Leave A Reply

Your email address will not be published.