Odisha Link
Bridging the Missing Links in Odisha

କଙ୍ଗନାଙ୍କୁ ବିଦାକଲା ଟୁଇଟର୍

ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍‌ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍‌ ନୀତିର ବିରୁଦ୍ଧାଚରଣ କରିଛି ବୋଲି ଟୁଇଟର୍‌ ପକ୍ଷରୁ କହାଯାଇଛି।

ଅନ୍ୟପଟେ ଏ ନେଇ ଟୁଇଟର୍‌ ଉପରେ ବର୍ଷିଛନ୍ତି ୩୪ ବର୍ଷୀୟା କଙ୍ଗନା। ଅନ୍ୟ ବହୁ ମାଧ୍ୟମ ଅଛି ଯେଉଁଠି ସେ ନିଜର ସ୍ବର ଉପସ୍ଥାପିତ କରିପାରିବେ ବୋଲି କଙ୍ଗନା କହିଛନ୍ତି, ଏପରିକି ନିଜର ସିନେମାକୁ ମଧ୍ୟ ସେ ବ୍ୟବହାର କରିପାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

୨୦୦୦ ମସିହା ପୂର୍ବର ବିରାଟ ରୂପ ପ୍ରଦର୍ଶନ କରି ମମତାଙ୍କୁ ପୋଷା ମନେଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ଆଜି ଏକ ଟୁଇଟ୍‌ ଛାଡ଼ିଥିଲେ କଙ୍ଗନା। ବେଙ୍ଗଲ ହିଂସା ଉପରେ ବିଜେପି ନେତା ସ୍ବପନ ଦାସଗୁପ୍ତାଙ୍କ ଏକ ଟୁଇଟ୍‌‌ର ପ୍ରତିକ୍ରିୟା ଦେବାକୁ ଯାଇ କଙ୍ଗନା ଏପରି ଲେଖିଥିଲେ। ପୂର୍ବରୁ ବାରମ୍ବାର ହିଂସାତ୍ମକ, ଅପର ପ୍ରତି ଅପମାନଜନକ ଓ ଅତ୍ୟନ୍ତ ଅଶାଳୀନ ପୋଷ୍ଟ ସବୁ ପାଇଁ ବିତର୍କିତ କଙ୍ଗନାଙ୍କ ଏ ପୋଷ୍ଟ ଆଜି ସର୍ବାଧିକ ବିରୋଧର ଶିକାର ହୋଇଥିଲା। ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଟୁଇଟର୍‌କୁ ବହୁ ସଂଖ୍ୟାରେ ବ୍ୟବହାରକାରୀ ଅନୁରୋଧ କରିଥିଲେ।

ଟୁଇଟର୍‌ କଙ୍ଗନାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ଉଠାଇନେବା ସହ ଟୁଇଟର୍‌ ମୁଖପାତ୍ର ଏ ନେଇ ଗଣମାଧ୍ୟମରେ ମତ ଦେଇଛନ୍ତି। ସେ କହିଛନ୍ତି, “ଅଫ୍‌ଲାଇନ୍‌ରେ ଗୁରୁତର କ୍ଷତି କରୁଥିବା ଏଭଳି ପୋଷ୍ଟ ବିରୋଧରେ ଆମେ କଡ଼ା କର୍ଯ୍ୟାନୁଷ୍ଠାନ ନେଇଥାଉ। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରୁଥିବା କଙ୍ଗନାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍ପେଣ୍ଡ କରାଗଲା।”

ଏଣିକି କଙ୍ଗନା ଆଉ କେବେ ବି ତାଙ୍କର ଟୁଇଟର୍‌ ଆକାଉଣ୍ଟ ବ୍ୟବହାର କରିପାରିବେନାହିଁ। ତାଙ୍କର ଟୁଇଟରରେ ୩୦ ଲକ୍ଷ ଅନୁଗାମୀ ଥିଲେ।

 

Leave A Reply

Your email address will not be published.