Odisha Link
Bridging the Missing Links in Odisha

କୋଭିଡ୍‌ କଟକଣାକୁ ଫୁ, ପ୍ରାର୍ଥାନା ପାଇଁ ମସ୍‌ଜିଦରେ ଏକାଠି

ହାଇଦ୍ରାବାଦ: କୋଭିଡ୍‌ କଟକଣାକୁ ନ ମାନି ରମଜାନ ମାସରେ ଶୁକ୍ରବାର ପ୍ରାର୍ଥନା ପାଇଁ ଶହ ଶହ ମୁସଲମାନ୍‌ ସମ୍ପ୍ରଦାୟର ବ୍ୟକ୍ତି ଏକାଠି ହୋଇଥିବା ଅଭିଯୋଗ ହୋଇଛି। ଏ ଘଟଣା ପରେ ତୁରନ୍ତ ସର୍ବସାଧାରଣ ଏକତ୍ରୀକରଣ ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି ତେଲିଙ୍ଗାନା ସରକାର। କୋଭିଡ୍‌ ସଂକ୍ରମଣ ବ୍ୟାପିବାରେ ଧର୍ମୀୟ ସମାବେଶ ଅନ୍ୟତମ କାରଣ ପାଲଟିଥିବା ବେଳେ ମୁସଲମାନ ସଂପ୍ରଦାୟର ଏ ଆଚରଣକୁ ସାମାଜିକ ଗଣମାଧ୍ୟମରେ ନିନ୍ଦା କରାଯାଇଛି।

ସୂଚନା ଅନୁସାରେ ଗତକାଲି ରମଜାନ୍‌ ମାସର ଶେଷ ଶୁକ୍ରବାର ଥିଲା। ଏଣୁ ପ୍ରାର୍ଥନା ନିମନ୍ତେ ହାଇଦ୍ରାବାଦର ଚାରମିନାର ନିକଟବର୍ତ୍ତୀ ମକ୍କା ମସ୍‌ଜିଦ୍‌ରେ ମୁସଲମାନ ସଂପ୍ରଦାୟର ଶହ ଶହ ଲୋକ ଏକତ୍ରିତ ହୋଇଥିଲେ। ଏହାର ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚେତିଛନ୍ତି ତେଲିଙ୍ଗାନା ସରକାର। ରାଜ୍ୟରେ ସମସ୍ତ ପ୍ରକାର ରାଜନୈତିକ, ଧର୍ମୀୟ ବା ସାଂସ୍କୃତିକ ସମ୍ମିଳନୀ ଉପରେ ରହିତାଦେଶ ଜାରି କରିଛନ୍ତି ସରକାର। କେବଳ ବିବାହ ଓ ଶ୍ରାଦ୍ଧ କାର୍ଯ୍ୟ ହୋଇପାରିବ ଏବଂ ଏଥିରେ ଯଥାକ୍ରମେ ୧୦୦ ଓ ୨୦ ବ୍ୟକ୍ତି ଭାଗ ନେଇପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ତେଲିଙ୍ଗାନା ସରକାର।

ଗତବର୍ଷ ୩୦୦୦ରୁ ଅଧିକ ତବଲିଘି ଜମାତ୍‌ କର୍ମୀ (ମୁସଲିମ୍) ଦିଲ୍ଲୀରେ ଏକାଠି ହୋଇ କୋଭିଡ୍‌ ପ୍ରଥମ ଜୁଆର ବ୍ୟାପିବାରେ ସହାୟକ ହୋଇଥିଲେ। ଚଳିତ ବର୍ଷ ବ୍ୟାପକ ସମାଲୋଚନା ସତ୍ତ୍ବେ କୁମ୍ଭମେଳାରେ ୭୦ ଲକ୍ଷ ଶ୍ରଦ୍ଧାଳୁ (ହିନ୍ଦୁ) ଭାଗନେଇ କୋଭିଡ୍‌ ସଂକ୍ରମଣ ଭୟକୁ ବହୁଗୁଣିତ କରିଥିଲେ। ସେହିପରି ଶତାଧିକ ମହିଳାଙ୍କୁ ନେଇ କଳସ ଯାତ୍ରା କରୁଥିବା ଅଭିଯୋଗରେ ଦୁଇଦିନ ତଳେ ଗୁଜରାଟ ପୁଲିସ ୨୩ ଜଣଙ୍କ ନାମରେ ମାମଲା କରିଛି। ଗତ ମାସରେ କେରଳର ମୁନ୍ନାରରେ ୪୮୦ ଜଣ ଧର୍ମଯାଜକ (ଖ୍ରୀଷ୍ଟିଆନ୍) ଏକାଠି ହୋଇ କୋଭିଡ୍‌ ସଂକ୍ରମଣ ବ୍ୟାପକ କରିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା କରିଛି ପୁଲିସ।

ସରକାରୀ ବାରଣ ସତ୍ତ୍ବେ ବିଭିନ୍ନ ସଂପ୍ରଦାୟର ଲୋକେ ଧର୍ମୀୟ ସଂକୀର୍ଣ୍ଣନା ଆଗରେ କୋଭିଡ୍‌ ସଂକ୍ରମଣକୁ ତୁଚ୍ଛ ଭାବୁଥିବା ବେଳେ ଦିଲ୍ଲୀରେ ଶିଖ୍‌ ସଂପ୍ରଦାୟ ଗୁରୁଦ୍ବାରରେ ଅକ୍ସିଜେନ୍‌ ଲଙ୍ଗର ଖୋଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.