Odisha Link
Bridging the Missing Links in Odisha

ଶ୍ରଦ୍ଧାଳୁଙ୍କୁ ଧବଳେଶ୍ବର ପୀଠ ମନା

ଓଏଲ୍‌ ବ୍ୟୁରୋ: ଏଥରବି ବଡ଼ଓଷାରେ ମିଳିବନି ବାବା ଧବଳେଶ୍ବରଙ୍କ ଦର୍ଶନ। ଗତ ୨ ବର୍ଷ ପରି ଏଥର ମଧ୍ୟ ଧବଳେଶ୍ବର ବଡ଼ଓଷା ଯାତ୍ରାରେ ଦେଖିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ସମାଗମ। କାରଣ ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ସୋମବାରଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି।

କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ କହିଛନ୍ତି ଯେ, ଝୁଲା ପୋଲ ଅସୁରକ୍ଷିତ ଥିବାରୁ ସୋମବରଠୁ ଧବଳେଶ୍ୱର ପୀଠରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଛି ୧୪୪ ଧାରା। ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ । ଆସନ୍ତା ଗୁରୁବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାରୁ ଏଥର ବି ବିନା ଶ୍ରଦ୍ଧାଳୁରେ ଧବଳେଶ୍ୱର ଯାତ୍ରା ହେବ।

ଗୁଜରାଟ ଝୁଲା ପୋଲ ଟ୍ରାଜେଡି ପରେ ତତ୍ପର ହୋଇ ଉଠିଥିବା ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣ ଆଶଙ୍କାରେ ଧବଳେଶ୍ୱର ପୀଠରେ ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରିଛି ୧୪୪ ଧାରା। ଆଗକୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ବଡ଼ ଝଟକା ଦେଇଛି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ୧୫୦୦ରୁ ଆସି ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି। କାର୍ତ୍ତିକ ମାସରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ଅପେକ୍ଷାରତ ଭିଡ଼କୁ ଆଖି ଆଗରେ ରଖି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି।

Leave A Reply

Your email address will not be published.