Odisha Link
Bridging the Missing Links in Odisha

ପରମ୍ପରାକୁ ନେଇ ରକ୍ତରଞ୍ଜିତ ଶୁଲିଆ ପୀଠ

ପରମ୍ପରା ଅନୁଯାଇ ଶ୍ରଦ୍ଧାଳୁ ଆଣିଥିବା ପଶୁପକ୍ଷୀଙ୍କୁ ସେଠାରେ ବଳି ଦିଆଯାଏ ଯାହା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରିଥାନ୍ତି

ଓଏଲ୍‌ ବ୍ୟୁରୋ : ପୁଣି ବଳି ପଡିଲେ ହଜାର ହଜାର ପଶୁପକ୍ଷୀ। ପରମ୍ପରାକୁ ବଜାଇ ରଖିଲେ ବଲାଙ୍ଗିରର ଆଦିବାସୀ। ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି। ପୁଲିସ ଉପସ୍ଥିତ ସତ୍ୱେ ବି ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ। ବର୍ଷ ବର୍ଷ ଧରି ଏହି ଶୁଲିଆ ପୀଠରେ ବଳି ପଡିଆସୁଥିବା ବେଳେ ଚଳିତ ଥର ମଧ୍ୟ ଶୁଲିଆ ଯାତ୍ରାରେ ହଜାର ହଜାର ପଶୁ ପକ୍ଷୀଙ୍କୁ ବଳି ଦିଆଯାଇଛି।

ସେଠାକାର ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି ଏହି ପୀଠରେ ବଳି ଦେଇ ମାନସିକ କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ଶୁଲିଆ ପୀଠରେ ମହୋତ୍ସବ ୨୫ ତାରିଖରୁ ଚାଲୁଥିବାବେଳେ ପୂର୍ବବର୍ଷ ଭଳି ଏଥର ଦୋକାନ ବଜାର ଲାଗିଛି। ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି।

ବିଗତ ବର୍ଷରେ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ କିଛି ସଂଗଠନ ଏହାକୁ ବିରୋଧ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ବନ୍ଦ କରିଥିଲେ। ହେଲେ ଏଥର ଏହି ଯାତ୍ରାକୁ ନେଇ ପ୍ରଶାସନର କୌଣସି କଟକଣା ନଥିବାରୁ ଅନ୍ୟବର୍ଷ ଅପେକ୍ଷା ଏଥର ଅଧିକ ବଳି ପଡ଼ିବାର ସମ୍ଭାବନା ଅଛି। ଆଦିବାସୀ ମାନଙ୍କ କହିବା ଅନୁସାରେ ପରମ୍ପରା ଅନୁଯାଇ ଶ୍ରଦ୍ଧାଳୁ ଆଣିଥିବା ପଶୁପକ୍ଷୀଙ୍କୁ ସେଠାରେ ବଳି ଦିଆଯାଏ ଯାହା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରିଥାନ୍ତି।

Leave A Reply

Your email address will not be published.