Odisha Link
Bridging the Missing Links in Odisha

ରାଜନୀତିରେ ସୁର ରାଉତରାୟଙ୍କ ବଡ଼ପୁଅ

କେଉଁ ନିର୍ବାଚନ ମଣ୍ଡଳୀ ଓ କେଉଁ ଦଳ, ତାହା ସମୟ କହିବ

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଗତକାଲି ସୁରଙ୍କ ସହ ନବୀନ ନିବାସ ଯାଇଥିଲେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଚର୍ଚ୍ଚା ଚାଲିଥିବାବେଳେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ନିଜର ମନ୍ତବ୍ୟ ରଖି କହିଛନ୍ତି, କେଉଁ ନିର୍ବାଚନ ମଣ୍ଡଳୀ ଓ କେଉଁ ଦଳ, ତାହା ସମୟ କହିବ। ବିଧାୟକ ହେବାକୁ ଚାହିଁବି କିନ୍ତୁ ଜଟଣୀରୁ ନୁହେଁ। ନିଜ ନିଷ୍ପତ୍ତି ନିଜେ ନେଇ ଆଗକୁ ନିର୍ବାଚନ ଲଢ଼ିବି ବୋଲି ସୁରେଶ ରାଉତରାୟଙ୍କ ପୁଅ କହିଛନ୍ତି।

ଅନ୍ୟପକ୍ଷେ, ଆଗାମୀ ନିର୍ବାଚନ ପାଇଁ କେଉଁ ଦଳରୁ କିଏ ଲଢ଼ିବ, ଆଉ କିଏ ଦଳ ତ୍ୟାଗ କରିବ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ କଂଗ୍ରେସର ଲୋକପ୍ରିୟ ନେତା ସୁରେଶ ରାଉତରାୟ ନିଜର ମତ ରଖିଥିଲେ। ସେ କହିଥିଲେ, ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି। ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ। ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ। ମୋ ପୁଅ ଲଢ଼ିବ ତ କଂଗ୍ରେସରୁ ଲଢ଼ିବ। ମୁଁ ୫୫ ବର୍ଷ ହେଲାଣି କଂଗ୍ରେସରେ ଅଛି। ତେଣୁ ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି। କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ। କେବଳ ମୁଁ ନୁହେଁ, ମୋ ପିଲା ବି ସମ୍ପୂର୍ଣ୍ଣ ରୂପେ କଂଗ୍ରେସ ସମର୍ଥକ। ଆଉ ସାନ ପୁଅ ବି କଂଗ୍ରେସ ଟିକେଟରୁ ହିଁ ନିର୍ବାଚନ ଲଢ଼ିବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।

ଖବର ଅନୁସାରେ, ଗତକାଲି ସୁର ରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିଥିଲେ। ଏହାର ଫଟୋ ଭାଇରାଲ ହେବା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ପଚାରିବାରୁ ସୁର ରାଉତରାୟ କହିଥିଲେ, ତାହା ସମ୍ପୂର୍ଣ୍ଣ ରୂପେ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ସେଥିରେ କୌଣସି ରାଜନୀତିକରଣ ନାହିଁ। ମୋ’ ବଡ଼ ପୁଅ ବିଶ୍ୱର ୫ଟି ବଡ଼ ବଡ଼ ପାହାଡ଼ ଚଢ଼ି ରେକର୍ଡ କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଥିଲା। ସାକ୍ଷାତକାରରେ କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, କୌଣସି ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ସ୍ପଷ୍ଟ କରିଥିଲେ ବିଧାୟକ ସୁର ରାଉତରାୟ। ବର୍ତ୍ତମାନ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ନିଜର ମନ୍ତବ୍ୟରେ ନିର୍ବାଚନ ଲଢ଼ିବେ ବୋଲି କହିଥିବା ଜଣା ପଡିଛି।

Leave A Reply

Your email address will not be published.