Odisha Link
Bridging the Missing Links in Odisha

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ସ୍କୁଲ୍‌ ପିଲା ସାବଧାନ, ଚେକିଂ କଡ଼ାକଡ଼ି

ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ।

ଓଏଲ୍‌ ବ୍ୟୁରୋ : ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା। ସ୍କୁଲ ଓ କଲେଜ ଆଖପାଖରେ ହେଉଛି କଡ଼ାକଡ଼ି ଚେକିଂ। ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଉଛି। ତେବେ ଏହି ନିୟମ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ ହୋଇଯାଇଛି। ଧରାପଡ଼ିଲେ ଦଣ୍ଡ ତ ମିଳିବ ତା ସାଙ୍ଗକୁ ତଣ୍ଡ ଗଣିବେ ଗାଡି ମାଲିକ।

ସୂଚନା ଥାଉକି, ସାଧାରଣତଃ ବର୍ତ୍ତମାନ ସମସ୍ତେ ଗାଡି ଚଳାଇବାକୁ ଭଲ ପାଉଥିବାବେଳେ ପୂର୍ବାପେକ୍ଷା ପ୍ରତି ଘରେ ଗାଡି ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖାଲି ସେତିକି ନୁହେଁ, ଗାଡି ସଂଖ୍ୟା ତୁଳନାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗାଡି ଚଳାଉଥିବା ଗାଡି ଚାଳକଙ୍କ ପାଇଁ ଏକ ସ୍ଥିର ବୟସସୀମା ଥିଲେ ମଧ୍ୟ ବୟସ ଆଗରୁ ଅର୍ଥାତ ଛୋଟ ପିଲା ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି।

ଅନେକ ସ୍ଥାନରେ ବିଦ୍ୟାଳୟକୁ ମଧ୍ୟ ସ୍କୁଲ ପିଲା ଗାଡି ନେଇ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ବେଆଇନ ଗାଡି ଚଳାଇବାକୁ ବ୍ୟକ୍ତିଙ୍କୁ ରୋକିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିଠୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟକ୍ରମ ରହିଛି।

ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ୨୫ ହଜାର ଜରିମାନା ଦେବାକୁ ପଡିବ। ପିଲା ଧରାପଡ଼ିଲେ ବାଇକ୍‌ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି। ବିଶେଷକରି ବିଦ୍ୟାଳୟର ଆଖପାଖରେ ଯାଞ୍ଚ କଡ଼ାକଡ଼ି ହେବ। ତେବେ ଏନେଇ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନ ସୂଚନା ଦେଇଥିଲେ।

Leave A Reply

Your email address will not be published.