Odisha Link
Bridging the Missing Links in Odisha

ଆଗରୁ ରତ୍ନଭଣ୍ଡାର ଚାବି ହଜିଥିଲା, ଏବେ ଶ୍ରୀମନ୍ଦିରର ୨ଟି ଫାଇଲ ହଜିଯାଇଛି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆଶା ଆଶଙ୍କା।

ମିଳିଥିବା ସୂଚନା ମୁତାବିକ, ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍‌ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି ସବୁ ବିଭାଗକୁ ଚିଠି କରାଯାଇଛି। ଏପରିକି ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ଧାର୍ଯ୍ୟ ହେବାପରେ ଚାବି ନମିଳିବାରୁ ତାହା ଆଜିପର୍ଯ୍ୟନ୍ତ ଖୋଲାଯାଇପାରିନି।

Leave A Reply

Your email address will not be published.