Odisha Link
Bridging the Missing Links in Odisha

ଦଳଡିଆଁ ପର୍ବ: ବିଜେଡିରେ ମଙ୍ଗଳ ସାହୁ, ଆଗରୁ ମିଶିଥିଲେ ଏହି ସବୁ ନେତା

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ’୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା ବେଳେ ଶାସକ ବିଜୁ ଜନତା ଦଳ ଖେଳିଛି ମାଷ୍ଟର ଷ୍ଟ୍ରୋକ୍‌। ଗତକାଲି ଯେଉଁ ନେତା ବିଜେପି ପାଇଁ ପ୍ରଚାର କରୁଥିଲା। ଆଜି ସେହି ନେତା ବିଜେଡିରେ ସାମିଲ ହୋଇଛି ଶଙ୍ଖ ଫୁଙ୍କିଛି। ଝାରସୁଗୁଡ଼ାର ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ବିଜେପି କହିଛି ଯେ, ମଙ୍ଗଳ ସାହୁ ଯିବା ଫଲରେ କିଛିବି ଫରକ ପଡ଼ିବନି।

ଦଳଡିଆଁ ପର୍ବ:

ଝାରୁସୁଗୁଡା ଭୋଟ ଶେଷ ପର୍ଯ୍ୟାୟରେ ଥିଲା ବେଳେ ଦଳଡିଆଁ ପର୍ବ ଜୋର ଧରିଛି। ବିଜେପିର ଷ୍ଟାର ପ୍ରଚାରକ ତଥା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ହଠାତ ବିଜେଡିରେ ସାମିଲ ହୋଇଛନ୍ତି। ଷ୍ଟାର ପ୍ରଚାରକ ତାଲିକାରେ ଥିବା ଓ ବିଜେପି ପାଇଁ ଯିଏ ଘର ଘର ବୁଲି ଭୋଟ ମାଗୁଥିଲେ ସିଏ ଏବେ ବିଜେଡିରେ ସାମିଲ ହୋଇ ଦଳକୁ ଝଟକା ଦେଇଛନ୍ତି। ସେହିପରି କିଛିଦିନ ତଳେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଓ ବିଜେପିର ଟାଣୁଆ ନେତା ତଥା ଝାରସୁଗୁଡା ବାର ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଳ କିଛି ଦିନ ପୂର୍ବରୁ ବିଜେଡିରେ ମିଶିଥିଲେ। ଗୋଟିଏ ବିଜେଡି ଶିବିରରେ ତୁଙ୍ଗ ନେତା ମାନେ ଯୋଗ ଦେଉଥିବା ବେଳେ ତାହା ବିଜେପି ଓ କଂଗ୍ରେସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ବିଜେଡି-ବିଜେପି ଗଣ୍ଡଗୋଳ:
ଉପନିର୍ବାଚନକୁ ଆଉ ୬ ଦିନ ବାକିଥିବା ବେଳେ ବିଭିନ୍ନ ରାଜନୈିତିକ ଦଳ ପ୍ରଚାରକୁ ଗୁରୁତ୍ବ ଦେଇଛନ୍ତି। ଏସବୁ ମଧ୍ୟରେ ବୁଧବାର ପ୍ରଚାର ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ବିଜେପି–ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ହେବା ସହ ଠେଲାପେଲା ହୋଇଛି। ଝାରସୁଗୁଡାର ମଙ୍ଗଳା ବଜାର ୨୨ ନମ୍ବର ୱାର୍ଡକୁ ପ୍ରଚାର ପାଇଁ ଯାଇଥିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ।କିନ୍ତୁ ୱାର୍ଡ ଭିତରକୁ ତାଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା।

ବିଜେଡି ଲାଭ ପାଇବ: ମଙ୍ଗଳ ସାହୁ
ଏକଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନିଷ୍ଠ ସହଯୋଗୀ ଥିବା ମଙ୍ଗଳ ସାହୁ ଆଜି ବିଜେଡିରେ ସାମିଲ ହେବା ପରେ ବିଜେପିକୁ ଟାର୍ଗେଟ କରିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପି ସଂଗଠନ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିଲୁ। ଯେଉଁ ନୀତି ଆଦର୍ଶରେ ଯୋଗ ଦେଇଥିଲୁ, ତାହା ଆଉ ନାହିଁ। ଦଳ ବାରମ୍ବାର ଅଣଦେଖା କରିଛି। ବିଜେପିରେ ଶୃଙ୍ଖଳିତ କର୍ମୀ ଥିଲି ହେଲେ କାମ କରିବା ସମୟରେ କଷ୍ଟ ହେଉଥିଲା। ସେଥିପାଇଁ ମୁଁ ବିଜେଡିରେ ଯୋଗ ଦେଲି, ଆଗକୁ ଆହୁରି ମିଶିବେ ବୋଲି ମଙ୍ଗଳ ସାହୁ କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, ମୋ ପାଇଁ ବିଜେଡି ଲାଭ ପାଇବ । ଯେଉଁ ସବୁ ବିଷୟ ଅଛି ଝାରସୁଗୁଡାରେ, ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି ଆଉ ତାହା ସମାଧାନ ହେବ । ମୋର ପଦବୀ ଆଶା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି।ହୋଇଛୁ ନବ ଦାସ ହତ୍ୟା ପାଇଁ ଆମେ ଦୁଃଖିତ। ତେଣୁ ଆମେ ତଦନ୍ତ ଚାହୁଁଛୁ ହେଲେ ଏହାକୁ ରାଜନୀତି ମୁଦ୍ଦା ନ କରାଯାଉ। ଅନେକ ଅଲଗା ପ୍ରସଙ୍ଗ ବି ଅଛି ସେ ସବୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିନି। ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି।

ସୂଚନାଥାଉକି, ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନ ସମୟରେ ମଧ୍ୟ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ନିଜ ପଦବୀରୁ ଇସ୍ତଫା ପତ୍ର ଦେଇଥିଲେ। ରାଧାରାଣୀ ପଣ୍ଡାକୁ ଟିକେଟ ମିଳିବା ପରେ ସେ ଇସ୍ତଫା ପତ୍ର ଦେଇଥିଲେ। ପରେ ଦଳର ଶୀର୍ଷ ନେତୃତ୍ବ ବୁଝାସୁଝା କରିବା ପରେ ସେ ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିଲେ।

Leave A Reply

Your email address will not be published.