‘ମିନେରାଲନୀ ଭଡୀ’ରେ ସୌଭାଗ୍ୟ, ଆଜିଠୁ ଆରମ୍ଭ ପାହାଡ଼ଚଢ଼ା
ଆଜି ସେ ତାଙ୍କର ଦୁଃସାହସିକ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ଆରମ୍ଭ କରିବେ।

ଓଏଲ୍ ବ୍ୟୁରୋ: ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିବାକୁ ଆଗେଇଲେ ନୟାଗଡ଼ ମାଟିର ପୁଅ ସୌଭାଗ୍ୟ କୁମାର ରଥ। ସାରା ଦେଶରେ ଆଇରନ୍ ମ୍ୟାନ୍ ଭାବେ ପରିଚିତ ସୌଭାଗ୍ୟ ଆଜିଠୁ ୟୁରୋପ୍ ଓ ରୁଷ୍ର ସର୍ବୋଚ୍ଚ ଶୃଙ୍ଗ ୧୮,୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍ ଚଢ଼ିବାକୁ ଯାଉଛନ୍ତି। ଗତକାଲି (୭ ଅଗଷ୍ଚ) ମସ୍କୋରୁ ଯାଇ ମିନେରାଲନୀ ଭଡୀ ବିମାନବନ୍ଦରରେ ପହଞ୍ଚିଛନ୍ତି ସୌଭାଗ୍ୟ। ଆଜି ସେ ତାଙ୍କର ଦୁଃସାହସିକ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ଆରମ୍ଭ କରିବେ।
ସୂଚନାଥାଉକି, ଅଗଷ୍ଟ ୪ ତାରିଖରେ ସୌଭାଗ୍ୟ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିଥିଲେ। ନିକଟରେ ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ସୌଭାଗ୍ୟ କେବଳ ନୟାଗଡ଼ ନୁହେଁ, ଓଡ଼ିଶା ଓ ଭାରତ ପାଇଁ ଆଣିବେ ଏବଂ ତାଙ୍କୁ ସାରା ରାଜ୍ୟ ସ୍ବାଗତ କରିବ ବୋଲି ନିଜର ବକ୍ତବ୍ୟରେ କହିଥିଲେ କରୁଣାକର ପଟ୍ଟନାୟକ। ସାଧୁତା, କଠିନ ପରିଶ୍ରମ ଓ ବିନମ୍ରତା ସଫଳତା ଆଣିଥାଏ ବୋଲି କହିଥିଲେ ଡ. ଉମାକାନ୍ତ ମିଶ୍ର। ସୌଭାଗ୍ୟଙ୍କ ପାଖରେ ଏ ତିନି ଗୁଣ ଥିବାରୁ ସେ ନିଶ୍ଚୟ ସଫଳ ହୋଇ ଫେରିବେ ବୋଲି ଆଶା କରିଥିଲେ ଡ. ମିଶ୍ର। ପ୍ରତିଟି ସଫଳତା ପଛରେ ଅନେକ ବିଫଳତାର ତାଲିକା ଥାଏ। ମନୋବଳ ଦୃଢ଼ କରି ସୌଭାଗ୍ୟ ଆଗକୁ ବିଶ୍ବର ଅନ୍ୟ ଗିରିଶୃଙ୍ଗ ମଧ୍ୟ ଲଙ୍ଘିପାରିବେ ବୋଲି ଆଶା କରିଥିଲେ ଦାଶ ବେନହୁର।