Odisha Link
Bridging the Missing Links in Odisha

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ: ସୁଦର୍ଶନଙ୍କ ବାଲୁକା କଳାରେ ଜନ୍ମାଷ୍ଟମୀର ଶୁଭେଚ୍ଛା

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିନେଇ ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରବେଳାରେ ସୁନ୍ଦର ବାଲୁକା କଳା କରିଛନ୍ତି।

ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଲେ ପ୍ରଭୁ ଶ୍ରୀ କୃଷ୍ଣ। ହେଲେ ଜନ୍ମାଷ୍ଟମୀର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ବିଶେଷକରି ହିନ୍ଦୁମାନେ ନିଜ ଘରେ ବାଲ୍‌ଗୋପାଲଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ, କ୍ଷୀର, ମହୁ ଏବଂ ଜଳରେ ଅଭିଷେକ କରାଇଥାନ୍ତି। କେତେକ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଟୁଆର ବାହାରିଥାଏ। ଏହି ଉତ୍ସବକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହିହାଣ୍ଡି ଭଙ୍ଗା ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଦହିହାଣ୍ଡି ବା ମଟ୍‌କା ଭଙ୍ଗାର ଦୃଶ୍ୟ ଅନେକ ହିନ୍ଦୀ ଫିଲ୍ମରେ ରହିଛି। ବିଶେଷ କରି ପୁରୁଷମାନେ କାନ୍ଧକୁ କାନ୍ଧ ଛନ୍ଦି ପିରାମିଡ଼ ଶୈଳୀରେ ଏକାଠି ହୋଇଥାନ୍ତି।

ପରେ ୨୦-୩୦ ଫୁଟ୍‌ ଉପରେ ଝୁଲୁଥିବା ଦହିହାଣ୍ଡିକୁ ଶୀର୍ଷରେ ଥିବା ବ୍ୟକ୍ତି ଜଣକ ଭାଙ୍ଗିଥାନ୍ତି। ନାଚ, ଗୀତ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ। ଏହି ଉତ୍ସବକୁ ଦର୍ଶକମାନେ ଅତି ଉତ୍ସାହର ସହ ଉପଭୋଗ କରିଥାନ୍ତି।

କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ କୃଷ୍ଣ ଅବତାର।

ଘନ ଅନ୍ଧକାର ମଧ୍ୟରେ ନବଜାତ ଶିଶୁକୁ ବସୁଦେବ ମଥୁରାରୁ ନେଇ ଗୋପପୁରର ରାଜା ନନ୍ଦଙ୍କ ଘରେ ଛାଡି ଆସିଥିଲେ। ଯଶୋଦାଙ୍କ କୋଳରେ କଟିଥିଲା ମହାପ୍ରଭୁଙ୍କ ବାଲ୍ୟ କାଳ। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.