Odisha Link
Bridging the Missing Links in Odisha

ବିଶ୍ବକପ୍‌ ପୂର୍ବରୁ ଐତିହାସିକ ଶୃଙ୍ଖଳା ମୂଳପୋଛ ଆଶାରେ ଭାରତ

ଓଏଲ୍‌ ବ୍ୟୁରୋ: ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ମୁକାବିଲା। ଭାରତ ୨-୦ରେ ଆଗୁଆ ଥିଲେ ବି ବିଶ୍ବକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ତାର ଟିମ୍‌ କମ୍ବିନେଶନ୍‌କୁ ଗୁରୁତ୍ବ ଦେବାକୁ ଚେଷ୍ଟା କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ।

ତେବେ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ବଡ଼ ବୟାନ। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇ କହିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆସନ୍ତାକାଲି ମ୍ୟାଚ୍‌ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ।

ରୋହିତ ଶର୍ମା କହିଛନ୍ତି, ଆମର କିଛି ଖେଳାଳି ଅସୁସ୍ଥ ଅଛନ୍ତି। କିଛି ଖେଳାଳିଙ୍କ ବ୍ୟକ୍ତିଗତ ସମସ୍ୟା ରହିଛି। ତେଣୁ ସେମାନେ ଘରକୁ ଯାଇଛନ୍ତି। କିଛି ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ। ଏବେ ଆମ ପାଖରେ ସିଲେକସନ ପାଇଁ ୧୩ ଜଣ ଖେଳାଳି ରହିଛନ୍ତି।ଗିଲ ଅସୁସ୍ଥ ଥିବାରୁ ବିଶ୍ରାମ ନେବେ। ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଘରକୁ ଫେରିଛନ୍ତି। ସେହିପରି ଅକ୍ଷର ପଟେଲ ମଧ୍ୟ ଫିଟ ହୋଇ ନାହାନ୍ତି। ଟିମ ଭିତରେ ଏବେ ଭାଇରାଲ ଜନିତ ଅସୁସ୍ଥା ରହିଛି। ତେଣୁ ଟିମକୁ ନେଇ ସାମାନ୍ୟ ଚିନ୍ତା ରହିଛି। ଆମ ପାଇଁ ଆଗାମୀ କିଛି ସପ୍ତାହ ଗୁରୁତ୍ୱ ପୂର୍ଣ୍ଣ। ଘରକୁ ଯାଇଥିବାରୁ ବିଶ୍ୱକପ ପାଇଁ ସେମାନେ ଫ୍ରେସ ମୁଡରେ ଆସିବେ। ଏହା ଏକ ଭଲ ଖବର।

ସିରିଜ ଦୃଷ୍ଟିକୋଣରୁ ଆଜିର ମ୍ୟାଚ୍‌ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ କବଜା କରି ସାରିଛି। ତେବେ ବିଶ୍ବକପ୍‌ ପ୍ରସ୍ତୁତି ଦୃଷ୍ଟିରୁ ଏହି ମ୍ରାଚ୍‌ ଗୁରୁତ୍ବବହନ କରେ।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର୍‌, କେଏଲ୍ ରାହୁଲ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।

Leave A Reply

Your email address will not be published.