ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା; ଉଦଘାଟିତ ହେଲା ପ୍ରଜ୍ଞାପନ ମେଢ଼

ଓଏଲ୍ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରଜ୍ଞାପନ ମେଢ଼ ଉଦଘାଟିତ ହୋଇଛି। ଆସ ବୁଲିଯିବା ବାଲିଯାତ୍ରା ଥିମ୍ ନେଇ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହି ପ୍ରଜ୍ଞାପନ ମେଢ଼ କଟକ, ଭୁବନେଶ୍ବର, ପୁରୀ, ପାରାଦୀପ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବି ଯିବ। ଐତିହାସିକ ବାଲିଯାତ୍ରାର ଇତିହାସର ଵାର୍ତ୍ତା ଦେବ। ତେବେ ଏହି ପ୍ରଜ୍ଞାପନ ମେଢ଼କୁ ପତାକା ଦେଖାଇ କଟକ ମେୟର ଶୁଭାରମ୍ଭ କରିଛନ୍ତି।
ଅନ୍ୟପଟେ, ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱାରୋପ କରିଛନ୍ତି। ଚଳିତବର୍ଷ ବାଲିଯାତ୍ରା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ଆଭାସୀ ମାଧ୍ୟମରେ ଅଧ୍ୟକ୍ଷତା କରି ବାଲିଯାତ୍ରା ସହ ଜଡିତ ବିଭିନ୍ନ ବିଭାଗ ଓ ବିଭାଗୀୟ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ କରିବା ସହ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିଥିଲେ। ଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ। ସିଏମ୍ସି ପକ୍ଷରୁ ଛାତ୍ରୀଛାତ୍ରଙ୍କ ଦ୍ୱାରା କାଗଜ ଡଙ୍ଗା ତିଆରି କରି ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନିତ ହେବା ଆନନ୍ଦର ବିଷୟ ଥିଲା। ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।