Odisha Link
Bridging the Missing Links in Odisha

୨୭ ବର୍ଷରେ ବିଜେଡି, କ’ଣ ରହିଛି ମାଷ୍ଟରପ୍ଲାନ୍…

ଭୁବନେଶ୍ବର: ଆଜି ୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୬ ପୂରି ୨୭ ଚାଲିଳା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଭିନ୍ନ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ। ଏହି ଅବସରରେ ଦଳର କର୍ମୀ ଓ ନେତାଙ୍କ ଉଦେଶ୍ୟରେ କିଛି ବଡ ଘୋଷଣା କରିପାରନ୍ତି ନବୀନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ଆବିର୍ଭାବ ହୋଇଥିଲା। ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିରଙ୍କୁଶ ଭାବେ ଶାସନ କରି ଆସୁଛି ବିଜେଡି। ଏହା ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି। ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି ।

କଣ ରହିବ ନବୀନଙ୍କ ଗୁରୁମନ୍ତ୍ର:
୨୦୧୯ ନିର୍ବାଚନ ପରେ ବିଜେଡି କେନ୍ଦ୍ର ସଂପର୍କରେ ଯେଉଁ ଆଭିମୁଖ୍ୟ ରଖିଥିଲା, ତାହା ବଦଳିଛି ନା ସ୍ଥିର ରହିଛି, ତାହା ଆଜିର ଅନୁଷ୍ଠିତ ସଭାରେ ସଙ୍କେତ ମିଳିପାରେ। ସର୍ବୋପରି ବିଜେପି ଓ କଂଗ୍ରେସ ମଧ୍ୟ ସେମାନଙ୍କ ସାଂଗଠନିକ ପତିଆରା ବିସ୍ତାର କରୁଛନ୍ତି। ଏଣୁ ନିଜ ଆଡକୁ ଅଧିକ ସଂଖ୍ୟକ କର୍ମୀଙ୍କୁ ଟାଣିବା ଲାଗି ନବୀନ କି କି ନୂଆ ଘୋଷଣା କରୁଛନ୍ତି, ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି। ନବୀନ ନିର୍ବାଚନ ପୂର୍ବରୁ ସାଂଗଠନିକ ସଂପାଦକ ଓ ମୁଖ୍ୟାଳୟ ସଂପାଦକ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ସୃଷ୍ଟି କରିଛନ୍ତି। କ୍ୟାଡର ଭିତ୍ତିକ ଦଳ ଗଠନ କରିବା ଲାଗି ପୂର୍ବତନ ସାଂସଦ ପ୍ୟାରୀେମାହନ ମହାପାତ୍ର ବାରମ୍ବାର କହିଥିଲେ। ଏହା କିନ୍ତୁ ଭାଷଣରେ ରହିଯାଇଥିଲା। ଏବେ ବିନା ଘୋଷଣା ବା କୋଳାହଳରେ ଦଳକୁ ସେହି ରାସ୍ତାରେ ଆଗେଇ ନେଇଯାଇଛନ୍ତି ସୁପ୍ରିମୋ।

ଏଥିସହିତ ବିଜେଡି ନେତାଙ୍କ କହିବା ମୁତାବିକ ଦଳ ଏଥର ଏକ କୋଟି ଲୋକଙ୍କୁ ନିଜ ସହିତ ପ୍ରତ୍ୟକ୍ଷ ଭାବେ ଯୋଡିବାକୁ ଚାହୁଁଛି। ସେମାନଙ୍କର ଡାଟା ବେସ ରଖାଯିବ। ସ୍ଥାନୀୟ ନେତା ନୁହେଁ, ବରଂ ଶୀର୍ଷସ୍ତର ସହିତ ଏସବୁ କର୍ମୀ ସିଧାସଳଖ ଯୋଡିହେବେ। ବିଜେଡି କର୍ମୀଙ୍କ ସହିତ ନେତାଙ୍କ ସଂପର୍କକୁ ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ସୂତ୍ର ଏକକାଳୀନ ପ୍ରୟୋଗ କରିବାକୁ ଯାଉଛନ୍ତି, ଏମିତି ଆଭାସ ମିଳୁଛି।

ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି।

Leave A Reply

Your email address will not be published.