Odisha Link
Bridging the Missing Links in Odisha

ମାଡ଼ି ଆସୁଛି ଭୟଙ୍କର ତାତି; ୪୬ ଡିଗ୍ରୀ ଛୁଇଁପାରେ ପାରଦ!

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରୀ ଛୁଇଁପାରେ। ୨୭ ତାରିଖରେ ବାରିପଦା, ବୌଦ୍ଧ ସହରର ପାରଦ ୪୪ ଡିଗ୍ରୀ ଡେଇଁଯିବାକୁ ଥିବା ବେଳେ ଭୁବନେଶ୍ବର, ଝାରସୁଗୁଡ଼ା, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଭବାନୀପାଟଣା, ପାରଳାଖେମୁଣ୍ଡିରେ ୪୩ ଡିଗ୍ରୀ ଉପରେ ରହିବାର ଆଶଙ୍କା କରାଯାଉଛି।

ଆସନ୍ତା ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲା‌ରେ ହିଟ୍‌ୱେଭ୍‌ ସ୍ଥିତି ସୃଷ୍ଟି ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ତାତି ପାଇଁ ୧୬ଟି ଜିଲ୍ଲାରେ ୧୨୪ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସୁନ୍ଦରଗଡ଼ରେ ସର୍ବାଧିକ ୩୨, ରାଉରକେଲା ୧୨, କ୍ୟାପିଟାଲ ହସ୍ପିଟାଲରେ ୧୫, ଅନୁଗୁଳ ଓ ମୟୂରଭଞ୍ଜରୁ ୧୦ ଲେଖାଏଁ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଜଣେ ବ୍ୟକ୍ତି ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ଅଂଶୁଘାତ ମୃତ୍ୟୁ ଏକ ବିପର୍ଯ୍ୟୟ ଜନିତ ମୃତ୍ୟୁ ବର୍ଗରେ ଆସୁଥିବାରୁ ଏହାର ଉପଯୁକ୍ତ ଯାଞ୍ଚ କରାଯିବ।

Leave A Reply

Your email address will not be published.