ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଆ ଥିବା ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।
ଲକ୍ଷଣା ଅଞ୍ଚଳରେ ମଧ୍ୟ ଶହ ଶହ ସଂଖ୍ୟାରେ ଲୁଗାକଳ ଶ୍ରମିକ ପରିବା ବଜାରରେ ଭଙ୍ଗାରୁଜା ଓ ଜଳାପୋଡ଼ା କରିଛନ୍ତି। ଶ୍ରମିକମାନେ ପ୍ରଥମେ ଘରୁ ଏକାଠି ବାହାରି ଆସି ସ୍ଥାନୀୟ ପରିବା ବଜାରରେ ଭଙ୍ଗାରୁଜା କରିଥିଲେ। ପରେ ଜଳାପୋଡ଼ା ଆରମ୍ଭ କରି ଦେଇଥିଲେ। ପୁଲିସ ସେମାନଙ୍କ ବିରୋଧରେ ହିଂସା, ଦଙ୍ଗା ଆଦି ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିବା ସହ ୭୦ ଜଣଙ୍କୁ ଅଟକ ରଖିଛି।
ଖାଦ୍ୟ ଓ ଅର୍ଥାଭାବରେ ଥିବା ଏହି ଶ୍ରମିକମାନେ ଶୁକ୍ରବାର ରାତିରେ ଲକ୍ଡାଉନ୍ ଅମାନ୍ୟ କରି ରାସ୍ତାକୁ ଆସି ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଦରମା ମିଳି ନଥିବା ଅଭିଯୋଗ କରିଥିବା ଏହି ଶ୍ରମିକମାନେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ପାଇ ନଥିବା ଦାବି କରିଛନ୍ତି। ତୁରନ୍ତ ଦରମା ମିଳିବା ସହ ନିଜ ରାଜ୍ୟକୁ ଫେରିବା ଲାଗି ଅନୁମତି ଦାବି କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।