Odisha Link
Bridging the Missing Links in Odisha

ପଦ୍ମ ଧରିଲେ ଟିଡ଼ିପିର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାରେ ତେଲଗୁଦେଶମ ପାର୍ଟି(ଟିଡିପି)କୁ ଏକ ଶକ୍ତ ଧକ୍କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି।। ଏହି ୪ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ଵାଇଏସ ଚୌଧୁରୀ, ସିଏମ ରମେଶ, ଟିଜି ଭେଙ୍କଟେଶ ଓ ଜି. ମୋହନ ରାଓ। ସେମାନେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ପତ୍ର ଲେଖି ସେମାନଙ୍କୁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ହିସାବରେ ଇସ୍ତଫାପତ୍ର ଦେଇଛନ୍ତି। ଏହାପରେ ସେମାନେ ବିଜେପି କାର୍ଯ୍ୟାଳୟରେ ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହା ଫଳରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। କାରଣ ଦଳଛାଡିଥିବା ସଦସ୍ୟମାନେ ନାଇଡୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଏହି ୪ ଜଣ ରାଜ୍ୟସଭା ସଦସ୍ୟ ଦଳ ଛାଡିବା ପରେ ଟିଡିପିରେ ସଂକଟ ବଢିଯାଇଛି। କାରଣ ଲୋକସଭାରେ ଟିଡିପିର ମାତ୍ର ୩ଜଣ ସଦସ୍ୟ ଅଛନ୍ତି । ସେହିପରି ରାଜ୍ୟ ବିଧାନସଭାରେ ଏହାର ମାତ୍ର ୨୩ ବିଧାୟକ ଅଛନ୍ତି ।

ବିଜେପିର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଏକାଧିକ ବିଲ୍‌ ପାସ୍‌ କରାଇବାରେ ବିଫଳ ହେଉଥିଲା। ଯାହଫଳରେ ବିଜେପି ନେତୃତ୍ୱାଧୀନ ସରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଜେପି ମଧ୍ୟ ତା’ର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର ଦିନ ପ୍ରଥମ ପାହାଚ କୁହାଯାଉଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ଟିଡିପିର ମୋଟ ୬ ଜଣ ସାଂସଦ ରହିଛନ୍ତି। ଏହି ୪ ଜଣଙ୍କ ଇସ୍ତଫାପରେ ଟିଡିପି ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୨କୁ ଖସିଆସିଛି।

Comments are closed.