Odisha Link
Bridging the Missing Links in Odisha

ରାଜ୍ୟରେ ୨୬୫୮ ନାବାଳିକା ନିଖୋଜ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା। ରାଜ୍ୟରେ ଏହା ଏକ କରାଳ ସମସ୍ୟା ଭାବେ ଉଭା ହୋଇଛି। ଶିଶୁ ନିଖୋଜ ଘଟଣା ଏବେ ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିଏ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଉଛି ତ ଆଉ କିଏ ମେଳାରେ ହଜି ଯାଉଛି। ଶିଶୁ ଚାଲାଣକୁ କେହି କେହି ନିଖୋଜର ନୂଆ ନାଁ ଦେଇ ଖସି ଯାଉଛନ୍ତି ତ କିଏ ବନ୍ୟା ପାଣି, ଡ୍ରେନ ପାଣି ଆଦିରେ ଭାସି ନିଖୋଜ ହେଉଛନ୍ତି। ଏଭଳି ଘଟଣାକୁ ନେଇ ବିଧାୟକ ସୁର ରାଉତରାୟ ବିଧାନସଭାରେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ପିଲା ନିଖୋଜ ହେଲେଣି ତାର ଏକ ରିପୋର୍ଟ ମଗା ଯାଇଥିଲା ବିଧାନସଭାରେ। ଆଉ ସୁରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ତେବେ ମନ୍ତ୍ରୀଙ୍କ ଲିଖିତ ରିପୋର୍ଟ ସମସ୍ତଙ୍କୁ ଚକିତ କରି ଦେଇଛି। ସୁର ରାଉତରାୟ ୨୦୧୬ରୁ ୨୦୧୯ ମଧ୍ୟରେ ନିଖୋଜଙ୍କ ସଂଖ୍ୟା, ନିଖୋଜ ନେଇ ମାମଲା ଓ ଉଦ୍ଧାର ହୋଇଥିବା ପିଲାଙ୍କ ସଂଖ୍ୟା କେତେ ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ। ହେଲେ ମନ୍ତ୍ରୀଙ୍କ ୩ ମାସିଆ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଦେଇଛି। ଚଳିତ ବର୍ଷର ୩ ମାସରେ ୬୦୨ ଜଣ ପିଲା ନିଖୋଜ ହୋଇଛନ୍ତି। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୬୦୨ ଜଣ ନିଖୋଜ ଅଛନ୍ତି। ୩ ମାସରେ ନିଖୋଜ ୬୦୨ ମଧ୍ୟରୁ ୫୦୨ ଜଣ ନାବାଳିକା ଆଉ ୧୦୦ ଜଣ ନାବାଳକ ଅଛନ୍ତି । ୭୯ ନାବାଳିକାଙ୍କ ସନ୍ଧାନ ମିଳିଥିବା ବେଳେ ୪୫୫ଟି ମାମଲା ରୁଜୁ ହୋଇଛି । ସେହିପରି ୩୧ ନାବାଳକଙ୍କ ସନ୍ଧାନ ମିିଳିଛି ଆଉ ୯୫ଟି ମାମଲା ରୁଜୁ ହୋଇଛି । ରାଜ୍ୟରେ ଗତ ତିନି ମାସରେ ଯଦି ଏତିକ ପିଲା ନିଖୋଜ ହେଉଛନ୍ତି ତେବେ ଆଗାମୀ ଦିନରେ ଏହାର ମାତ୍ରା ବଢିବାର ସମ୍ଭାବନା ରହିଛି । ଆଉ ଏହିଭଳି ନିଖୋଜ ମାତ୍ରା ଯଦି ବଢି ଚାଲେ ତେବେ ଏହାକୁ ରୋକିବା ଆଉ ଉଦ୍ଧାର କରିବା ପୋଲିସ ପାଇଁ, ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହେବ ଏଥିରେ ଦ୍ୱିମତ ନାହିଁ।

୨୦୧୬:୨୦୧୬ ମସିହାରେ ୫୦୦ ନାବାଳକ ହଜି ଥିବା ବେଳେ ସେଥିରୁ ୩୦୮ ଜଣ ବାଳକ ମିଳିଛନ୍ତି। ସେହିପରି ୧୨୯୧ ନାବାଳିକା ହଜି ଥିବା ବେଳେ ୭୦୦ ଜଣ ଉଦ୍ଧାର ହୋଇଛନ୍ତି।
୨୦୧୭ :୨୦୧୭ ମସିହାରେ ୪୯୧ ଜଣ ବାଳକ ହଜି ଯାଇଥିବା ବେଳେ ୩୦୯ ଜଣ ମିଳିଛନ୍ତି। ସେହିପରି ୧୩୬୦ ଜଣ ବାଳିକା ହଜି ଯାଇଥିବା ବେଳେ ୭୩୭ ଜଣ ବାଳିକା ମଳିଛନ୍ତି।
୨୦୧୮: ୨୦୧୮ ମସିହାରେ ୪୫୯ ଜଣ ବାଳକ ହଜି ଯାଇଥିବା ବେଳେ ୨୮୫ ଜଣ ମଳିଛନ୍ତି। ସେହିପରି ୧୮୭୫ ଜଣ ନାବାଳିକା ହଜି ଯାଇଥିବା ବେଳେ ସେଥିରୁ ମାତ୍ର ୮୫୪ ଜଣ ମଳିଛନ୍ତି।

ଏହିଭଳି ଯଦି ୨୦୧୬ରୁ ୨୦୧୯ ମାର୍ଚ୍ଚ ମାସ ଯାଏ ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତେବେ ୬୧୮ ନାବାଳକ, ୨୬୫୮ ନାବାଳିକାଙ୍କ ସଂପର୍କରେ କାହା ପାଖରେ କିଛି ଖବର ନାହିଁ। ୩୨୭୬ କୁନି କୁନି ପିଲା ଗଲେ କୁଆଡେ? ଏସବୁ ନାବାଳକ ଓ ନାବାଳିକା ସୁରକ୍ଷିତ ଅଛନ୍ତି ତ? ସେମାନଙ୍କ ପରିବାରର ସ୍ଥିତି କଣ ହେଉଥିବ? ଏଭଳି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି। ବାଳକଙ୍କ ଅପେକ୍ଷା ବାଳିକା ନିଖୋଜ ଅଧିକ ରହିଛନ୍ତି। ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ବଢିଚାଲିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗର ଗୁରୁତ୍ବ ବହୁଗୁଣିତ ହୋଇଛି।

Comments are closed.