Odisha Link
Bridging the Missing Links in Odisha

ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା

କଟକ: ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା। ଆଜି ଅପରାହ୍ନରେ ଏହାର ଉଦଘାଟନ କରାଯିବ। କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ୧୯ ନଭେମ୍ବର ଯାଏ ଚାଲିବ ବାଲିଯାତ୍ରା । ଏଥର ବାଲିଯାତ୍ରାକୁ ଖାସ୍ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ବଲିଉଡ କଣ୍ଠଶିଳ୍ପୀଙ୍କ ତାଳେ ତାଳେ ଝୁମି ଉଠିବେ ଲୋକେ। ଏଥର ସାଂସ୍କୃତିକ ସନ୍ଧ୍ୟାରେ ବଲିଉଡ୍ ସିଙ୍ଗର ଦିଲେର ମେହନ୍ଧି, କେ.କେ, ସୋନା ମାହାପାତ୍ର ଓ ଋତୁରାଜଙ୍କ ଭଳି ଦମଦାର କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ।
ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିଥିବାରୁ ଏଥର ବାଲିଯାତ୍ରାକୁ ନୂଆ ଢଙ୍ଗରେ ଆୟୋଜନ କରିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ମେଳାରୁ ବିଭିନ୍ନ ଘରୋଇ ଉପକରଣ କିଣିବା ସହ ଦୋଳିର ମଜା ନେବା ପାଇଁ ଲୋକଙ୍କ ଭିଡ଼ ଜମିବ। ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ଏଥର ମେଳାରେ ଭଳିକି ଭଳି ଦୋଳିର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରାର ଉଭୟ ପଡିଆରେ ଦୋଳିର ବ୍ୟବସ୍ଥା ରହିଛି। ସେପଟେ ଦୋଳିଗୁଡିକର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇ ଏହାର ମାନ ଯାଞ୍ଚ କରିଛି ଜିଲ୍ଲା ପ୍ରଶାସନର ଏକ ଇଞ୍ଜିନିୟରିଂ ଟିମ୍। ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ମଞ୍ଚରେ ପାରମ୍ପାରିକ ଲୋକନୃତ୍ୟ ସମେତ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଓରମାସ ପକ୍ଷରୁ ବି ତଳ ପଡିଆରେ ସ୍ୱତନ୍ତ୍ର ଷ୍ଟଲ୍ ରହିଛି। ଏଥର ଦର୍ଶକ କିଣାକିଣି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଉପଭୋଗ କରିପାରିବେ। ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ଜୋର ଦିଆଯାଇଛି।

Comments are closed.