Odisha Link
Bridging the Missing Links in Odisha

ରାଜ୍ୟସଭା: ସଞ୍ଜୟଙ୍କ ଆସନ ବଦଳିଲା, କହିଲେ ଜାଣିଶୁଣି..

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତଙ୍କ ଆସନ ଆଜି ରାଜ୍ୟସଭାରେ ଅଦଳବଦଳ ହୋଇଛି। ସଞ୍ଜୟଙ୍କ ଆସନ ଗୃହର ୫ଧାଡିକୁ ଚାଲିଯାିଇଛି। ଏହାକୁ ନେଇ ସେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆସନ ବଦଳିବା ଘଟଣାକୁ ଆଧାର କରି ସେ ରାଜ୍ୟସଭା ଅଧ୍ୟକ୍ଷା ଭେଙ୍କୟା ନାଇଡୁଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, “ମୁଁ ଭାବୁଛି ରାଜ୍ୟସଭାରେ ଏଭଳି ଆସନ ବଦଳ କରିବା ପାଇଁ କେହି ଜାଣିଶୁଣି ନିଷ୍ପତ୍ତି ନେଇଛି। ଶିବସେନାର ଭାବନାକୁ ଆଘାତ ଦେବା ପାଇଁ ଓ ମୋ ସ୍ୱରକୁ ଦବାଇବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛନ୍ତି ଯେ ଏନଡିଏ ବିରୋଧୀ ଦଳରେ ଥିବା ବେଳେ ମଧ୍ୟ ମୋତେ ତୃତୀୟ ଧାଡ଼ିରେ ଆସନ ମିଳିଥିଲା। ମୋ ବରିଷ୍ଠତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିଲା।

ଏବେ ମୋତେ ଓ ମୋ ଦଳକୁ ହଇରାଣ କରିବା ପାଇଁ ଜାଣିଶୁଣି ମୋ ଆସନକୁ ଅନ୍ୟତ୍ର ବଦଳି କରାଯାଇଛି। ଗୃହର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ପ୍ରଥମ ୩ଟି ଧାଡ଼ି ମଧ୍ୟରେ ଥିବା ଗୋଟିଏ ଆସନକୁ ମୋ ପାଇଁ ଛଡ଼ା ଯିବା ଦରକାର। ମୋ ଆସନକୁ ପଛକୁ ନେବାର କାରଣ କିଛି କୁହାଯାଇ ନାହିଁ। ଶିବସେନା ଏବେ ବି ଏନଡିଏ ସହ ରହିଛି। ବିଧିବଦ୍ଧ ଭାବେ ଶିବସେନା ଏନ୍‌ଡିଏରୁ ବାହାରି ଯାଇଥିବା କଥା ଘୋଷଣା କରିନାହିଁ।”

Comments are closed.