Odisha Link
Bridging the Missing Links in Odisha

ଟ୍ରମ୍ପ୍‌ଙ୍କ ଗୁଜରାଟ ଗସ୍ତ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି!

ଅହମଦାବାଦ: ଆସନ୍ତା ଫେବୃଆରୀ ୨୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ୩ ଘଣ୍ଟା ପାଇଁ ଗୁଜରାଟ ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ପାଇଁ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ‘ଅହମଦାବାଦ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ଏବଂ ‘ଅହମଦାବାଦ ଅର୍ବାନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ ମିଳିତ ଭାବେ ଏତେ ପରିମାଣର ଅର୍ଥ ବ୍ୟୟ କରିବେ। ଅହମଦାବାଦ ସହରର ରାସ୍ତାଘାଟ ନବୀକରଣ ଏବଂ ସହରର ସୌନ୍ଦର୍ଯ୍ୟକରଣରେ ଏହି ଅର୍ଥ ବ୍ୟୟ ହେବ।

ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରର ରାସ୍ତାଘାଟ ଚିକ୍କଣ କରିବା, ସହରକୁ ସୁନ୍ଦର ଭାବେ ସଜାଇବା ପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁ ରୁଟ୍‌ ଦେଇ ଟ୍ରମ୍ପ ଯିବେ ତା’ର ସୌନ୍ଦର୍ଯ୍ୟକରଣ ସହିତ ଭେନ୍ୟୁ ସ୍ଥଳର ସାଜସଜ୍ଜା ପାଇଁ ୬ କୋଟି ଟଙ୍କା ବ୍ୟୟ କରାଯିବ। ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ ରାସ୍ତାର ପୃଷ୍ଠଭାଗକୁ ଚିକ୍କଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜରାଟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ୧୦୦ କୋଟିରୁ କିଛି ଭାଗ କେନ୍ଦ୍ର ସରକାର ଦେଇପାରନ୍ତି। କିନ୍ତୁ ଏହି ବ୍ୟୟର ଅଧିକ ଭାଗ ରାଜ୍ୟ ସରକାର ହିଁ ବହନ କରିବେ।

Comments are closed.