Odisha Link
Bridging the Missing Links in Odisha

ବର୍ତ୍ତମାନର କଂଗ୍ରେସ ଆଉ ପୂର୍ବ ଭଳି ନାହିଁ: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ସାମିଲ ହେଲା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏବର କଂଗ୍ରେସ ଆଉ ପୂର୍ବ ଭଳି ନାହିଁ।

ବିଜେପିର ପ୍ରାଥମିକତା ସଦସ୍ୟତା ଗ୍ରହଣ କରି ସାରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ମୋ ଜୀବନରେ ଦୁଇ ଦିନ ଥିଲା ଯାହା ମୋ ଜୀବନକୁ ବଦଳାଇଲା। ପ୍ରଥମ ୩୦ ସେପ୍ଟେମ୍ବର ୨୦୦୧, ଯେଉଁ ଦିନ ମୁଁ ମୋ ବାପାଙ୍କୁ ହରାଇଥିଲି। ଆଉ ଦ୍ୱିତୀୟ ତାରିଖ ଥିଲା ୧୦ ମାର୍ଚ୍ଚ ୨୦୨୦, ଯାହା ତାଙ୍କର ୭୫ ତମ ବାର୍ଷିକୀ ଥିଲା।

ସେ ଆହୁରି କହିଛନ୍ତି ଯେ, ମୋର ବିଶ୍ୱାସ ଯେ ଆମର ଲକ୍ଷ୍ୟ ସର୍ବସାଧାରଣଙ୍କ ସେବା ହେବା ଉଚିତ୍। ମୋ ବାପା ଏବଂ ମୁଁ ସବୁବେଳେ ଏହା ଉପରେ କାମ କରୁଥିଲୁ। ଯାହାକି ଏବେ କଂଗ୍ରେସ ହରାଇଛି। ଏହି କାରଣ ଯୋଗୁଁ କଂଗ୍ରେସରେ ରହିବା ମୋ ପକ୍ଷେ ଆଉ ସମ୍ଭବ ହେଲା ନାହିଁ।

ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ସପ୍ତାହେ ମଧ୍ୟରେ କଂଗ୍ରେସ କୃଷି ଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ୧୮ ମାସର ସରକାର ପରେ ବି ତାହା ପୂରଣ ହୋଇପାରି ନାହିଁ। କଂଗ୍ରେସର ଦୂରଦୃଷ୍ଟି ଦିଗହାର ହୋଇଛି। ରାଜ୍ୟରେ ରୋଜଗାର ସୃଷ୍ଟି ହେବା ପ୍ରତିବଦଳରେ ଭ୍ରଷ୍ଟାଚାର ପାଇଁ ବାଟ ଫିଟିଛି ’। ଏଥିସହିତ ସିନ୍ଧିଆ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ବର୍ତ୍ତମାନର କଂଗ୍ରେସ ଆଉ ପୂର୍ବର କଂଗ୍ରେସ ଭଳି ନାହିଁ।

ସେ ଆହୁରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ୱିତୀୟ ଥର ପାଇଁ ଦେଶବାସୀ ଜନାଦେଶ ଦେଇଛନ୍ତି। ମୋଦୀଙ୍କ ପ୍ରତିଶ୍ରୁତି ତଥା ଦୂରଦୃଷ୍ଟି ମୋତେ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ହାତରେ ଦେଶ ଆଗକୁ ବଢ଼ିବ।’

Comments are closed.