Odisha Link
Bridging the Missing Links in Odisha

କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ ଅଧିକ ଟିକେଟ ବାତିଲ୍

ଭୁବନେଶ୍ୱର: କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଲେଓ୍ଵ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।

ବିଗତ ମାତ୍ର ୬ଦିନ ମଧ୍ୟରେ ପୂର୍ବତଟ ରେଲେଓ୍ଵ ଅଧୀନରେ ଚଳାଚଳ କରୁଥିବା ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ପାଇଁ ପୂର୍ବରୁ ବୁକ୍‌ ହୋଇଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଟିକେଟକୁ ରଦ୍ଦ (କ୍ୟାନସଲ୍‌) କରି ଦେଇଛନ୍ତି। ଯାହାକି ବିଗତ ବର୍ଷ ଏହି ସମୟ ମଧ୍ୟରେ ହୋଇଥିବା ଟିକେଟ ରଦ୍ଦ ତୁଳନାରେ ୬୭ ପ୍ରତିଶତ ଅଧିକ ଥିବା ଜାଣିବାକୁ ମିଳିଛି। ଏ ପ୍ରକାର ସ୍ଥିତି ଯେ କେବଳ ମାତ୍ର ଓଡ଼ିଶାରେ ଦେଖିବା ପାଇଁ ମିଳିଛି, ତାହା ନୁହେଁ ସମଗ୍ର ଦେଶରେ ଏବେ ଟିକେଟ ରଦ୍ଦ ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଞ୍ଚିଛି।

ଯାତ୍ରୀ ସଂଖ୍ୟା ହ୍ରାସକୁ ଦେଖି ପୂର୍ବତଟ ରେଲେଓ୍ଵ କର୍ତ୍ତୃପକ୍ଷ ୫ ଯୋଡା (୧୦ଟି) ସ୍ୱତନ୍ତ୍ର ଟ୍ରେନ୍‌ର ଚଳଚଳକୁ ବର୍ତ୍ତମାନ ପାଇଁ ରଦ୍ଦ କରି ଦେଇଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ, ଯାତ୍ରୀଙ୍କ ଟିକେଟ ରଦ୍ଦକୁ ଦୃଷ୍ଟିରେ ରଖି ଅଧିକ ଟ୍ରେନ୍‌ର ଚଳାଚଳକୁ ମଧ୍ୟ ବାତିଲ ବା ରଦ୍ଦ କରିଦିଆ ଯାଇପାରେ ବୋଲି ଇଷ୍ଟକୋଷ୍ଟ ରେଲେଓ୍ଵ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ସେହିପରି କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାମୟିକ କାଳ ପାଇଁ ଭୁବେନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟନମ୍‌ରୁ ଚଳାଚଳ କରୁଥିବା ଟ୍ରେନ୍‌ ଗୁଡ଼ିକରେ ଯାତ୍ରୀମାନଙ୍କୁ ଯାତ୍ରା କାଳରେ ଚଦର, କମ୍ବଳ କିମ୍ବା ଟାେଓ୍ଵଲ ଦିଆଯାଉନାହିଁ। ଏବଂ ନିଜର ବିଛଣା ନିଜେ ଆଣିବାକୁ ପରାମର୍ଶ ଦିଆଯାଇଛି।

Comments are closed.