ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ମାଗିଲା ଆମେରିକା

ଓଏଲ୍ ବ୍ୟୁରୋ: ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ର ବିକ୍ରି ଉପରେ କଟକଣା ଲଗାଇଛି। ଗତ ଶନିବାର ଠାରୁ (୪ ଏପ୍ରିଲ) ଏହାର ରପ୍ରାନି ଉପରେ ମଧ୍ୟ ଭାରତ କଟକଣା ଲଗାଇଛି। ଅର୍ଥାତ୍ ଏହି ଔଷଧ ଭାରତ ବାହାରକୁ ପଠାଯିବ ନାହିଁ।
ଏଭଳି ପରିସ୍ଥିତିରେ ଗତକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଏହି ଔଷଧ ମାଗିଛନ୍ତି। ଭାରତ ଏହା ଉପରେ ପୁନର୍ବିଚାର କରି ରପ୍ତାନୀ କଟକଣା ଉଠାଇପାରେ ବୋଲି ବିବିସିରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତ ଏହି ଔଷଧର ଅନ୍ୟତମ ବଡ଼ ଉତ୍ପାଦକ।
ଆମେରିକାରେ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଔଷଧର ଅଭାବ ଦେଖାଦେଇଛି।
ପାଠକେ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏ ଔଷଧ ଯଦି କରୋନାଜଦିତ ରୋଗ ଭଲ କରିପାରୁଛି ସସରକାର ଏହାର ବିକ୍ରି ଉପରେ କଟକଣା କାହିଁକି ଲଗାଇଛନ୍ତି। ଏହା ପଛରେ ଦୁଇଟି କାରଣ ରହିଛି- ପ୍ରଥମ, ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଦ୍ବିତୀୟ, ଏହା ଏଯାଏଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଘୋଷଣା କରାଯାଇନାହିଁ।
ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍ସିଲ ଫର୍ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କାମ କରିବ ବୋଲି କହିଛନ୍ତି।
ତେବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ସେବନ କରିବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଏହା କ୍ଲୋରୋକୁଇନ୍ ସହ ପ୍ରାୟ ସମାନ। କ୍ଲୋରୋକୁଇନ୍ ମ୍ୟାଲେରିଆ ପାଇଁ ଏକ ଅବ୍ୟର୍ଥ ଔଷଧ ଭାବେ ବ୍ୟବହୃତ ହୁଏ। ଏହା ଖାଇବା ପରେ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ପେଶୀ ପୀଡ଼ା ହେବା, ତ୍ବଚ୍ଚା ଶୁଷ୍କ ଦେଖାଯିବା, ତ୍ବଚ୍ଚା କୁଣ୍ଡେଇ ହେବା, ନାକରୁ ରକ୍ତ ବାହାରିବା ଓ ଶ୍ରବଣ ସମସ୍ୟା ଦେଖାଯିବା ଭଳି ସାମୟିକ ଶାରିରୀକ ଦୁର୍ବଳତା ଅନୁଭବ ହୋଇପାରେ। ଏହାକୁ ଅତ୍ୟଧିକ ମାତ୍ରାରେ ଖାଇଦେଲେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ କ୍ଲୋରୋକୁଇନ୍ ଅପେକ୍ଷା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ ସାମାନ୍ୟ କମ।
୫୦ ଦଶକରେ ବିଶ୍ବ ବଜାରକୁ ପ୍ରବେଶ କରିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀ ଔଷଧ ତାଲିକାରେ ରଖିଛନ୍ତି। ତେବେ କରୋନା ପ୍ରତିରୋଧ ପାଇଁ ଏହାର କାର୍ଯ୍ୟଦକ୍ଷତା ଉପରେ ଭାରତୀୟ ଡାକ୍ତର ଏବେ ବି ସନ୍ଦିହାନ। ଏଥିରେ ଥିବା ସଂକ୍ରମଣ-ପ୍ରତିଷେଧକ (ଆଣ୍ଟି-ଭାଇରସ୍) ଶକ୍ତିର ପ୍ରଭାବ ନେଇ ୨୦୦୩ରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଗବେଷଣାଗାରରେ ପରୀକ୍ଷଣ ବେଳେ ଏହା କରୋନା ଭୂତାଣୁକୁ ନଷ୍ଟ କରୁଥିବା ପ୍ରମାଣ ମିଳିଥିଲେ ବି ଏହା ଉପରେ ଅଧିକ ପରୀକ୍ଷା ଲୋଡ଼ା ବୋଲି ଆଇଏମ୍ସିଆର୍ କହିଛି।