Odisha Link
Bridging the Missing Links in Odisha

୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର, ତଦାରଖ କରିବେ କୃଷିକାର୍ଯ୍ୟ

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ଲାଗୁୁ ହୋଇଛି ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍। ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର କଟକଣାରୁ ବାଦ ପଡ଼ିଛି ଚାଷ କାର୍ଯ୍ୟ। ଏନେଇ ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ କହିଥିଲେ। ଏହି ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଚାଷ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ ଦୈନିକ ରିପୋର୍ଟ ସରକାରଙ୍କୁ ଦେବେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏଭଳି ବ୍ୟବସ୍ଥାର ତଦାରଖକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବିଭାଗୀୟ ବୈଠକରେ ଅଧ୍ୟକ୍ଷତା କରି କୃଷି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଲକଡାଉନ୍ ଅବଧିରେ ରାଜ୍ୟରେ କୃଷି କାର୍ଯ୍ୟ କିପରି କରାଯିବ ସେଥିପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି ହୋଇଛି। ସାମାଜିକ ଦୂରତ୍ୱକୁ ବଜାୟ ରଖି କୃଷି କାର୍ଯ୍ୟ କରିବ ପଡ଼ିବ। ଲକଡାଉନ୍ ଯୋଗୁ ଉପୁଜିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି କୃଷି କାର୍ଯ୍ୟକୁ ପୁନର୍ବାର ତା’ର ପୂର୍ବସ୍ଥିତିକୁ ଫେରାଇ ଆଣିବା ଦିଗରେ କୃଷି ଅଧିକାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।

ସେ କହିଥିଲେ ଯେ, ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନକୃଷିର ଉପନିର୍ଦ୍ଦେଶକ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗରେ ରହିବା ସହିତ ସିଧାସଳଖ ଉପଖଣ୍ଡ, ବ୍ଲକ ଓ ପଂଚାୟତସ୍ତରରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ତୃଣମୂଳସ୍ତରରେ ଉପୁଜିଥିବା ସମସ୍ୟାର ଖବର ସଂଗ୍ରହ କରି ସମାଧାନର ପନ୍ଥା ନିରୂପଣ କରିବେ। ପ୍ରତିଦିନ ସନ୍ଧ୍ୟାରେ ହ୍ୱାଟସଅପ୍ ମାଧ୍ୟମରେ ରିପୋର୍ଟ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଦ୍ୱାରା ଖୋଲା ଯାଇଥିବା କଂଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ‘ଆମ କୃଷି’ ହେଲପ ଳାଇନ୍ ସେବାର ବହୁଳ ଉପଯୋଗ କରିବା ସହ ଚାଷୀଙ୍କୁ କୃଷି ସୂଚନା ବ୍ୟତୀତ ବଜାରର ସୂଚନା ଦେବା ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କୃଷି ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.