କେମିତି ଗାଇବେ ରାଜ୍ୟ ସଂଗୀତ, କ’ଣ ରହିଛି ନୀତି ଓ କଟକଣା?
ଭୁବନେଶ୍ବର: କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତିତାହା ଅତୁଳନୀୟ। ଉତ୍କଳ ଜନନୀଙ୍କ ବନ୍ଦନାରେ ସେଦିନ ଅଖ୍ୟାତ ପଲ୍ଲୀରୁ ଆମେରିକା ଯାଏଁ ମୁଖରିତ ହୋଇ ଉଠିଥିଲା। ସାଢ଼େ ଚାରିକୋଟି ଓଡ଼ିଆଙ୍କ କଣ୍ଠରେ ଥିଲା ଗୋଟିଏ ସ୍ବର, ଉତ୍କଳ ଜନନୀଙ୍କର ଜୟଗାନ। ଆଜି ସ୍ବତନ୍ତ୍ର ରାଜ୍ୟ କ୍ୟାବିନେଟ୍ରେ ଏଥିପାଇଁ ଓଡ଼ିଆ ଜାତିକୁ ଧନ୍ୟବାଦ ଜଣାଇଥିଲେ ସରକାର। ଏ ଅବସରରେ କ୍ୟାବିନେଟ୍ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଓଡ଼ିଶା ମାତୃକାର ବନ୍ଦନା ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ଘୋଷଣା କରାଯାଇଛି।
କାନ୍ତକବିଙ୍କର ଏହି କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’ ୧୯୧୨ ମସିହା ଠାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇ ଆସୁଅଛି। ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେବା ସମୟରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡିଆର ହୃଦୟରେ ଓ ଭାବନାରେ ରହି ଆସିଅଛି।
୧୯୯୪ ମସିହା ନଭେମ୍ବର ୭ ତାରିଖ ଦିନ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ବିଧାନ ସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦ୍ଯାପନୀ ସଙ୍ଗୀତ ଭାବରେ ଗାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ତାହା ଅଦ୍ୟାବଧି ପାଳିତ ହୋଇ ଆସୁଅଛି। ପରବର୍ତ୍ତୀ ସମୟରେ ବିଧାନ ସଭାର ବୈଠକ ମାନଙ୍କରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ସମ୍ପର୍କରେ ଅନେକ ବିଚାର ବିମର୍ଶ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଏ ସମ୍ପର୍କରେ ଅନେକ ନିର୍ଦ୍ଦେଶାବଳୀ ଦିଆଯାଇଛି।
ଆଜି କ୍ୟାବିନେଟ୍ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ଭାବେ ଗ୍ରହଣ କରାଯିବା ଅବସରରେ ସଂଗୀତ ଗାନର ବିଧିବିଧାନ ଓ ଏହାକୁ ନେଇ କିଛି ନୀତି ନିୟମ ସ୍ଥିର କରାଯାଇଛି।
୧) କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଗଲା।
୨) ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଗଲା।
୩) ଏହାର ଗାୟନ ଅବଧି ସ୍ବର ତଥା ଶୈଳୀ ଉପରୋକ୍ତ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହେଲା।
୪) ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଭାବରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ।
୫) ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ/ଗାନ କରାଯିବ।
୬) ଉଦ୍ଘାଟନୀ, ଉଦ୍ଯାପନୀ ଓ ଉଦ୍ବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ। ମାତ୍ର ବୟସ୍ମ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ। ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଗଲା।
୭) ଏହି ସଙ୍ଗୀତ ପୋଲିସ୍ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ।
୮) ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ।
୯) ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଗଲା।
Comments are closed.