Odisha Link
Bridging the Missing Links in Odisha

ପ୍ଲାଜମା ଦେଲେ ଓଡ଼ିଆ‌ ଯବାନ, ପ୍ରଶଂସା କଲେ ଜିଲ୍ଲାପାଳ

ଜଗତସିଂହପୁର: କରୋନା ସଂକ୍ରମଣ ଅଣାୟତ୍ତ। ଏପରିକି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ଟିକା ବାହାରି ନାହିଁ। ଏଭଳି କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ପ୍ଲାଜମା ଚିକିତ୍ସାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ରାଜ୍ୟର ୬ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ବାର୍ତ୍ତା ଦେଇଥିଲେ। ଏସବୁ ମଧ୍ୟରେ ଜଣେ ବିଏସ୍‌ଏଫ୍‌ ଯବାନ ପ୍ଲାଜମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯବାନ ଜଣଙ୍କ ହେଉଛନ୍ତି ରାଜୀବ ବରାଳ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଓଳାଷ ଗାଁ ସୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ଼ ପୁଅ ହେଉଛନ୍ତି ରାଜୀବ। ତେବେ ଦେଢ଼ମାସ ତଳେ ସେ ନିଜ କର୍ମ ସ୍ଥାନରୁ ଘରକୁ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଆସିବା ପରେ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ନିଜର କୋଭିଡ ପରୀକ୍ଷା କରିଥିଲେ। ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଏହାପରେ ରାଜୀବଙ୍କୁ ପ୍ରଥମେ କୋଭିଡ୍‌ କେୟାର ଓ ପରେ ପାରାଦୀପ କୋଭିଡ୍‌ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେ ୧୫ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ପ୍ଲାଜମା ଦ୍ୱାରା ଗୁରୁତର କରୋନା ରୋଗୀ ଭଲ ହେଉଥିବା ଜାଣି ନିଜ ତରଫରୁ ଆଗ୍ରହ ପ୍ରକାଶ କରି ସେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ପ୍ରଶାସନ ତରଫରୁ କଟକ ପ୍ଲାଜମା ସେଣ୍ଟରକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ସେ ପ୍ଲାଜମା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ରାଜୀବ ନିଜେ ସ୍ୱେଚ୍ଛାକୃତ ଭାବେ ଅତି ଉତ୍ସାହର ସହିତ ପ୍ଲାଜମା ଦାନ କରି ଅନ୍ୟ ଜଣଙ୍କ ଜୀବନ ବଂଚାଇ ବାରେ ସକ୍ଷମ ହୋଇଛନ୍ତି। ରାଜୀବ ପିଲାଦିନରୁ ସୈନିକ ହୋଇ ଦେଶ ସେବା କରିବା ପାଇଁ ଇଚ୍ଛା ରଖିଥିଲେ। ସେ ଯୁକ୍ତ ତିନି ପଢ଼ିବା ସମୟରେ ବିଏସ୍‌ଏଫ୍‌ରେ ନିଯୁକ୍ତି ପାଇଥିଲେ। ଏହାରି ଭିତରେ ସେ ପଞ୍ଚାବ, ଗୁଜୁରାଟ, କୋଲକତା, ଝାଡଖଣ୍ଡ ଅଂଚଳରେ ସୀମାରେ ରହି ଦେଶ ପାଇଁ କାମ କରିଛନ୍ତି। ତାଙ୍କର ଅଦମ୍ୟ ଇଚ୍ଛା ଓ ଉତ୍ସାହ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ରାଜୀବ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଜୀବ ଛୁଟିରେ ଗାଁକୁ ଆସିଲେ ପିଲାମାନଙ୍କୁ ନେଇ ଗାଁର ଫୋଖରୀ ରାସ୍ତା ସଫା ଠାରୁ ଆରମ୍ଭ କରି ଜନ ହିତକର କାମ କରିଥାନ୍ତି। ସେହିପରି ଲୋଟସ୍‌ କ୍ଲବ୍‌ ସଦସ୍ୟ ଭାବରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ସବୁବେଳେ ସହାୟତା ଦେଇ ଆସିଛନ୍ତି। ରାଜୀବଙ୍କ ଏଭଳି ମହାନ୍‌ କାର୍ଯ୍ୟପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.